କିଟ୍‍ ଏବଂ ୟୁଏନ୍‍ଏସ୍‍ଏସ୍‍ସି ଓ ୟୁଏନ୍‍ଭି ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୨୩/୦୫ : କିଟ୍‍ ଏବଂ ୟୁଏନ୍‍ଏସ୍‍ଏସ୍‍ସି ଓ ୟୁଏନ୍‍ଭି ମଧ୍ୟରେ ବୁଝାମଣା । ବିଶ୍ୱସ୍ତରୀୟ ସହଯୋଗ ଏବଂ ସେବା ଦିଗରେ କିଟ୍‍ ୟୁନାଇଟେଡ୍‍ ଭଲ୍ୟୁଣ୍ଟିୟରସ (ୟୁଏନ୍‍ଭି) ଓ ୟୁନାଇଟେଡ୍‍ ନେସନ୍‍ସ ସିଷ୍ଟମ ଷ୍ଟାଫ୍‍ କଲେଜ (ୟୁଏନ୍‍ଏସ୍‍ଏସ୍‍ସି) ମଧ୍ୟରେ ଦୁଇଟି ପୃଥକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଜର୍ମାନ ଗସ୍ତ ଅବସରରେ ବନ୍‍ଠାରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ଅବସରରେ ୟୁଏନ୍‍ଭି ସହ ସ୍ୱତନ୍ତ୍ର ସ୍ୱେଚ୍ଛାସେବକ ସହଯୋଗ ସଂପର୍କରେ ଡ. ସାମନ୍ତ ଫଳପ୍ରଦ ଆଲୋଚନା କରିଥିଲେ।

ଏହା ଦ୍ୱାରା କିଟ୍‍ର ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାସେବା ମାଧ୍ୟମରେ ବିଶ୍ୱ ସମ୍ପର୍କରେ ଅଧିକ ଜାଣିବା, ସେବା କରିବା ଓ ବିଶ୍ୱ ସମ୍ପର୍କରେ ଜ୍ଞାନ ଆହରଣ କରିବାର ଅଧିକ ସୁଯୋଗ ପାଇବେ। ଶତତ ଲକ୍ଷ୍ୟ ପୂରଣ ଦିଗରେ କିଟ୍‍ ହେଉଛି ଦକ୍ଷିଣ ଏସିଆର ପ୍ରଥମ ବିଶ୍ୱବିଦ୍ୟାଳୟ।ଏହା ସହିତ ନେଲସନ୍ ମାଣ୍ଡେଲା ଗ୍ଲୋବାଲ୍ ଏକାଡେମୀ ଫର ସୋସିଆଲ୍ ଚେଞ୍ଜ ମାଧ୍ୟମରେ ୟୁଏନ୍‍ଏସ୍‍ଏସ୍‍ସି ସହିତ ଅନ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହା କିଟ୍‍ ଛାତ୍ରଛାତ୍ରୀଙ୍କ ପାଇଁ ସାମାଜିକ ପରିବର୍ତ୍ତନ, ନେତୃତ୍ୱ, ଆଲୋଚନା ଏବଂ ସମାଜ ସେବା ବିଷୟରେ ଶିଖିବାର ସୁଯୋଗ ସୃଷ୍ଟି କରିବ। ଏଥିରେ ଖୁସି ବ୍ୟକ୍ତ କରି ଡ. ସାମନ୍ତ କହିଲେ, ଶିକ୍ଷା କେବଳ ଜ୍ଞାନ ଆହରଣ ନୁହେଁ , ଏହା ହେଉଛି କରୁଣା, ଦାୟିତ୍ୱ ଏବଂ ମାନବତା ପ୍ରତି ସେବା। କିଟ୍‍ ସହ ଏଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରିଥିବାରୁ ଡ. ସାମନ୍ତ ୟୁଏନ୍‍ଭି ଓ ୟୁଏନ୍‍ଏସ୍‍ଏସ୍‍ସି ପ୍ରତି କୃତଜ୍ଞତା ଜଣାଇଛନ୍ତି।

ଏହି ବୁଝାମଣାପତ୍ର କିଟ୍‍ ତଥା କିସ୍‍ ଛାତ୍ରଛାତ୍ରୀ ଏବଂ ଭାରତର ଯୁବଗୋଷ୍ଠୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ଲାଟଫର୍ମରୁ ଶିଖିବା ଓ ସମାଜ ସେବା ପାଇଁ ନୂତନ ଦ୍ୱାର ଖୋଲିବ ବୋଲି ଡ. ସାମନ୍ତ କହିଥିଲେ। ଉଭୟ କାର୍ଯ୍ୟକ୍ରମରେ ୟୁଏନ୍‍ଏସ୍‍ଏସ୍‍ସିର ଡେପୁଟି ଡାଇରେକ୍ଟର ସିଲ୍‍କେ ୱେନ୍‍ଲିଚ ଓ ୟୁଏନ୍‍ଭି ପକ୍ଷରୁ ଡେପୁଟି ଏକଜିକ୍ୟୁଟିଭ କୋଅର୍ଡିଟେର ଲାଉସ ଚାମ୍ବରଲେନ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।