ମହାକାଳପଡ଼ା, ୧୫/୧୨ : ମହାକାଳପଡ଼ା ବ୍ଲକର ୩୧ ପଂଚାୟତରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫୦, ୦୦୦ରୁ ଅଧିକ ହିତାଧିକାରୀ ରହିଛନ୍ତି l ସରକାର କେହି ଅନାହାରରେ ରହିବେନି ସ୍ଲୋଗାନ ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟନ୍ୱୟନ କରିଛନ୍ତି l ପରବର୍ତ୍ତୀ ସମୟରେ ରାସନ କାର୍ଡ ଧାରୀ ପରିବାର ସ୍ୱାସ୍ଥ୍ୟ ବୀମା ଓ ପିଏମକିଷାନ ନିମନ୍ତେ ଯୋଗ୍ୟ ବିବେଚିତ ହେଉଥିଲେ l ଦିନ ଥିଲା ଗୋଟିଏ କାର୍ଡ ଯୋଗେ ଉପରୋକ୍ତ ତିନିଗୋଟି ସରକାରୀ ସୁବିଧା ଉପଲବ୍ଧ ହେଉଥିଲା l ଗରିବ ପରିବାର ଲୋକେ ସରକାରୀ ସୁବିଧା ଉପଲବ୍ଧ ପାଇଁ ଏହାହିଁ ଥିଲା ଅମୋଘଅସ୍ତ୍ର l ପୂର୍ବ ବିଜେଡି ସରକାର ସମୟରେ ରାସନ ସାମଗ୍ରୀ ହାତଉଥିବା ଅନେକ ଭୁତ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ପାଇଁ ଡବଲ ଇଂଜିନ ସରକାର ଇକେ୍ୱାଇସି ଜାରି ରଖିଥିଲେ l ଯାହାଫଳରେ ଅନେକ ଭୁତ ହିତାଧିକାରୀ ବାଦ ପଡିବା ପରେ ରାସନ କାର୍ଡରୁ ବଂଚିତ ଥିବା ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାର ସୁଯୋଗ ପାଇଛନ୍ତି l
କିନ୍ତୁ ଦୁଃଖର କଥା ନୂତନ ରାସନ କାର୍ଡ ନେଇ ପ୍ରକ୍ରିୟା ଜାରି ରହିଥିବା ବେଳେ ପ୍ରଶାସନ ରାସନ କାର୍ଡ ପରିବାର ରେ ଥିବା ପିଏମକିଷାନ ହିତାଧିକାରୀ ଙ୍କ ନାମ ତାଲିକା ପ୍ରକାଶନ ପରେ ଚିନ୍ତାରେ ଚାଷୀ l ୨. ୭ ଏକର ଚାଷ ଜମି ମାନ ଦଣ୍ଡ ଆଧାରରେ ପିଏମକିଷାନ ସୁବିଧା ହାତଉଥିବା ରାସନ କାର୍ଡ ହିତାଧିକାରୀ ତାଲିକାକୁ ପୁନଃ ଗଣନା କରିବ ନା ଦୁଇଟିରୁ ଗୋଟିଏ ସୁବିଧା ଯୋଗାଇଦେବ ସେ ନେଇ ଚିତ୍ର ଅସ୍ପଷ୍ଟ ରହିଛି l ଯାହାକି ସାଧାରଣ ଚାଷୀ ପରିବାର ବଡ଼ ଚିନ୍ତାର କାରଣ ହୋଇଛି l ସେହିପରି ଆଗକୁ ସରକାର ମଣ୍ଡି ଯୋଗେ ଧାନ କ୍ରୟ କରିବାର ଥିବା ବେଳେ କେଉଁ ମାନ ଦଣ୍ଡରେ ରାସନ କାର୍ଡ ପରିବାରର ଚାଷୀ ମଣ୍ଡିରେ ଧାନ ବିକ୍ରୟ କରିବେ ସେ ନେଇ ମଧ୍ୟ ଚାଷୀ ମହଲରେ ଚିନ୍ତା ବୃଦ୍ଧିପାଉଛି l ସରକାରୀ /ଅର୍ଦ୍ଧସରକାରୀ କର୍ମଚାରୀ ସଙ୍ଘ ଯୋଗେ ନିଜର ପେଟ ପାଟଣା ପାଇଁ ଦାବି ଉପସ୍ଥାପନ କରୁଥିବା ବେଳେ ଅଣସଙ୍ଘଠିତ ଚାଷୀ ପ୍ରତି ସରକାର କି ପ୍ରକାର ଦରଦ ଦେଖାଉଛନ୍ତି ଦେଖିବାକୁ ବାକି ରହିଲା l