ପବିତ୍ର ​କୈଳାସ ପର୍ବତ ଓ ମାନସରୋବରକୁ ଯୁଦ୍ଧ କ୍ଷେତ୍ର କରୁଛି ଚୀନ

ନୂଆଦିଲ୍ଲୀ,୩୦ /୮ : ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ପବିତ୍ର ​କୈଳାସ ପର୍ବତ ତଥା ମାନସରୋବର ହ୍ରଦ ଅଞ୍ଚଳକୁ ଚୀନ ଯୁଦ୍ଧକ୍ଷେତ୍ରରେ ପରିଣତ କରିବା ଉଦ୍ୟମ ଚଳାଇଛି। କୈଳାସ ପର୍ବତ ସମେତ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ପୀଠ ରକ୍ଷାସ୍ଥଳ, ​‌େଗ‌ୗରୀ କୁଣ୍ଡ ନିକଟରେ ଚୀନ ସାମରିକ ଘାଟି ନିର୍ମାଣ କରୁଛି। ଏହି ଅଞ୍ଚଳ କୈଳାସ ପରିକ୍ରମାର ଅଂଶବିଶେଷ। ସେଠାରେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ‘ସାମ୍‌’ କ୍ଷେପଣାସ୍ତ୍ର ମୁତୟନ ପାଇଁ ଭିତ୍ତିଭୂମି ନିର୍ମାଣ କରିଛି। ଏପ୍ରିଲରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ନିକଟରେ ଶେଷ ହୋଇଥିବା ଉପଗ୍ରହ ଚିତ୍ରରୁ ଦେଖାଯାଇଛି। ମାନସରୋବର କୂଳରେ ବିପୁଳ ସେନା ଶିବିର ସ୍ଥାପନ କରାଯାଇଥିବା ଏଥିରୁ ଲକ୍ଷ୍ୟ କରାଯାଇଛି। ଅଗଷ୍ଟ ୧୬ରେ ଉତ୍ତୋଳିତ ଚିତ୍ର ଅନୁସାରେ ‘ସାମ୍’ କ୍ଷେପଣାସ୍ତ୍ର ମୁତୟନ ପାଇଁ ୮ଟି ପ୍ଲାଟଫର୍ମ ନିର୍ମାଣ କରାଯାଇଛି। ଏହି ସ୍ଥାନରେ ‘ସାମ୍’ କ୍ଷେପଣାସ୍ତ୍ରକୁ ତାର୍ପୋଲିନ ଆଚ୍ଛାଦିତ କରି ରଖାଯାଇଛି। ଏତଦ୍‌ ବ୍ୟତୀତ ତିନିଟି ରାଡାର ରାମ୍ପ ମଧ୍ୟ ନିର୍ମାଣ କରାଯାଇଛି। ଏଠାରେ ଯାନ ଆଧାରିତ ଏଚ୍‌ଟି-୨୩୩ ରାଡାର କ୍ଷମତା ବହନ କରୁଥିବା ଏଚ୍‌କ୍ୟୁ-୯ ରାଡାର ସିଷ୍ଟମ ମୁତୟନ ହେବ। ଏହାଛଡ଼ା ୩୦୫ବି, ୩୫୦ଏ, ୧୨୦, ୱାଇଏସ୍‌ଏଲ-୨୦ ଓ ଡିଡବ୍ଲୁଏଲ-୦୦୨ ରାଡାର ମଧ୍ୟ ମୁତୟନ ହେବ। ଏ ସମଗ୍ର ବ୍ୟବସ୍ଥାକୁ ‘ପିଏଲଏଏଫ୍‌ଏଫ୍‌’ କୁହାଯାଉଛି। ଏଗୁଡ଼ିକ ଭାରତୀୟ ସୀମାରୁ ଠିକ୍‌ ୯୦କିମି ଦୂରରେ ଅବସ୍ଥିତ। ଏହାଦ୍ବାରା କୈଳାସ ଭ୍ରମଣରେ ଯାଉଥିବା ପର୍ଯ୍ୟଟକଙ୍କୁ ଓ ଭାରତୀୟ ବିମାନକୁ ନିଶାଣ କରିହେବ। ପୁନଶ୍ଚ ସମ୍ପୃକ୍ତ ଅଞ୍ଚଳରେ ଚୀନ ସେନାର ଟ୍ୟାଙ୍କ ଚଳାଚଳ କରୁଥିବା ଲକ୍ଷ୍ୟ କରାଯାଇଛି।

କେବଳ ସେତିକି ନୁହେଁ; ସମ୍ପୃକ୍ତ ସ୍ଥାନରେ ସେନା ଅବସ୍ଥାନ ପାଇଁ ସ୍ବତନ୍ତ୍ର ଘର ଓ ହୋଟେଲ ନିର୍ମାଣ କରାଯାଇଛି। ସେଥିପାଇଁ ଏଠାରେ ଥିବା ତିବ୍‌ବତୀୟଙ୍କ ଘରକୁ ଧ୍ବଂସ କରିଦିଆଯାଇଛି। ପୂର୍ବ ଲଦାଖ ମାନସରୋବର ଓ କୈଳାସ ପର୍ବତ ଅଞ୍ଚଳରେ ଥିବା ତୀବ୍‌ବତୀୟଙ୍କ ସମ୍ପତ୍ତି ଚୀନ ସେନା ବଳପୂର୍ବକ ଦଖଲ କରିବା ସହ ସେଠାରେ ଜୋର୍‌ଦାର ନିର୍ମାଣ କାର୍ଯ୍ୟ ଚଳାଇଥିବା ଦେଖାଯାଇଛି। ଚୀନ ମ୍ୟାଁମାର ସୀମାନ୍ତରେ ଥିବା ୟୁନାନ ପ୍ରଦେଶ ଅନ୍ତର୍ଗତ ରୁଇଲି କାଉଣ୍ଟିରୁ ଭାରତ ଉପରେ ନଜର ରଖିବା ବ୍ୟବସ୍ଥା କରିଛି। ଏଠାରେ ସ୍ବତନ୍ତ୍ର ଓ ଅତି ଶକ୍ତିଶାଳୀ ରାଡାର ସିଷ୍ଟମ ମୁତୟନ ସହ ଏହା ମାଧ୍ୟମରେ ଆସାମର ତେଜପୁର ବିମାନଘାଟି ଓ ଓଡ଼ିଶା ଉପକୂଳସ୍ଥ ଡଃ ଅଦୁଲ କଲାମ ଦ୍ବୀପକୁ ନିଶାଣ କରିଛି।