ନେପାଳ ସରକାରଙ୍କୁ ପୁଣି ଏକ ଝଟକା, ଗୃହ ମନ୍ତ୍ରୀ ପଦ ଛାଡ଼ିଲେ ସୁଦାନ ଗୁରୁଙ୍ଗ

ନୂଆଦିଲ୍ଲୀ, ୨୨/୦୪ : ନେପାଳରେ ପୁଣି ଥରେ ବାଲେନ୍ଦ୍ର ଶାହ ସରକାରଙ୍କୁ ଏକ ଝଟକା ଲାଗିଛି । ଦୁର୍ନୀତି ବିବାଦରେ ଫସିଥିବା ନେପାଳ ନୂତନ ଗୃହ ମନ୍ତ୍ରୀ ସୁଦାନ ଗୁରୁଙ୍ଗ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦାୟିତ୍ୱ ନେବାର ମାତ୍ର ୨୬ ଦିନରେ ସୁଦାନ ଗୁରୁଙ୍ଗ ବୁଧବାର ପଦବୀରୁ ଇସ୍ତଫା ଦେବା ଖବର ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ଗୁରୁଙ୍ଗ ନିଜେ ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଏହି ସୂଚନା ପ୍ରଦାନ କରିଛନ୍ତି । ଆର୍ଥିକ ହେରଫେର ମାମଲା ତଦନ୍ତ ଜାରି ରହିଥିବାରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପଦ ଠାରୁ ନୀତି ବଡ଼ ଏବଂ ଜନତାଙ୍କ ବିଶ୍ୱାସଠାରୁ ଆଉ କୌଣସି ଶକ୍ତି ବଡ଼ ନୁହେଁ । ଦେଶରେ ଚାଲିଥିବା ଜେନ୍-ଜି ଆନ୍ଦୋଳନ, ଯାହା ସୁଶାସନ, ସ୍ୱଚ୍ଛତା ଏବଂ ଦାୟିତ୍ୱ ଦାବି କରୁଛି, ଏହା ମଧ୍ୟ ଏହି ବାର୍ତ୍ତା ଦେଇଛି – ଯେ ସାଧାରଣ ଜୀବନ ସ୍ୱଚ୍ଛ ହେବା ଉଚିତ ଏବଂ ନେତୃତ୍ୱ ଦାୟୀ ହେବା ଉଚିତ । ଯଦି କେହି ମୋର ୪୬ ଭାଇ ଏବଂ ଭଉଣୀଙ୍କ ରକ୍ତ ଏବଂ ବଳିଦାନ ଉପରେ ଗଠିତ ସରକାରଙ୍କୁ ପ୍ରଶ୍ନ କରନ୍ତି, ତେବେ ତାହାର ଉତ୍ତର ହେଉଛି ନୀତି। ବିବାଦୀୟ ବ୍ୟବସାୟୀ ଦୀପକ ଭଟ୍ଟଙ୍କ ସହିତ ବ୍ୟବସାୟିକ ସହଭାଗୀତା ଏବଂ କ୍ଷୁଦ୍ର-ବୀମା କମ୍ପାନୀଗୁଡ଼ିକରେ ସନ୍ଦେହଜନକ ନିବେଶ ସମ୍ପର୍କରେ ସୁଦାନ ଗୁରୁଙ୍ଗ ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଗୃହମନ୍ତ୍ରୀ ହେବା ପରଠାରୁ ଦୁର୍ନୀତି ବିରୁଦ୍ଧରେ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିବା ଗୁରୁଙ୍ଗ ନିଜ ବ୍ୟକ୍ତିଗତ ନିବେଶ ପାଇଁ ବ୍ୟାପକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ଅଭିଯୋଗ ଏବଂ ସତ୍ୟ ସମାନ ନୁହେଁ। ଭାବପ୍ରବଣତାରେ ନୁହେଁ ବରଂ ପ୍ରମାଣ ଉପରେ ନିଷ୍ପତ୍ତି ହେବ । ତେଣୁ ତଦନ୍ତରେ ସମ୍ପୂର୍ଣ୍ଣ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସରକାରରେ ଏହା ଦ୍ୱିତୀୟ ମନ୍ତ୍ରୀଙ୍କ ଇସ୍ତଫା । ଏପ୍ରିଲ 9 ରେ ଶ୍ରମ, ନିଯୁକ୍ତି ଏବଂ ସାମାଜିକ ସୁରକ୍ଷା ମନ୍ତ୍ରୀ ଦୀପକ କୁମାର ଶାହଙ୍କୁ ପ୍ରଧାନମନ୍ତ୍ରୀ “ଆଚରଣ ସଂହିତା ଏବଂ ଶୃଙ୍ଖଳା ଉଲ୍ଲଂଘନ” ପାଇଁ ବହିଷ୍କାର କରିଥିଲେ ।