ଆଜି ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, ୨୧/୦୪ :  ଆଜି ଝାରସୁଗୁଡ଼ା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲାକୁ “ନୋ ଡ୍ରୋନ୍ ଜୋନ୍/ନୋ ଫ୍ଲାଇଙ୍ଗ୍ ଜୋନ୍” ଭାବେ ଘୋଷଣା କରାଯାଇଛି। ଅର୍ଥାତ୍ ଆଜି ଜିଲ୍ଲାରେ କେହି ଡ୍ରୋନ୍ କିମ୍ବା ଘରୋଇ ହେଲିକପ୍ଟର୍ ଉଡ଼ାଣ କରିପାରିବେ ନାହିଁ ।ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳ ଏହି ସ୍ୱତନ୍ତ୍ର କାର୍ଯ୍ୟାଳୟ ଆଦେଶ ଜାରି କରିଛନ୍ତି।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି । ସେଠାରେ ରାଷ୍ଟ୍ରପତି ଏକ ପ୍ଲାନେଟାରିୟମ୍ ଏବଂ ସାଇନ୍ସ ସେଣ୍ଟର ଓ ନିର୍ମଳ ମୁଣ୍ଡା ପ୍ରବେଶ ପଥର ଉଦଘାଟନ କରିବେ । ଏହା ସହିତ ଏକ ଆଦିବାସୀ ସଂଗ୍ରହାଳୟ ଏବଂ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରର ମଧ୍ୟ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲାର କୌଣସି ସ୍ଥାନରେ ଡ୍ରୋନ୍ ବା କୌଣସି ପ୍ରକାରର ଆକାଶମାର୍ଗୀୟ ଯାନ ଉଡ଼ାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସୁରକ୍ଷା ବଳୟକୁ ଅଭେଦ୍ୟ କରିବା ପାଇଁ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜି. ଆର. ରାଘବେନ୍ଦ୍ରଙ୍କ ତତ୍ତ୍ୱାବଧାନରେ ପୋଲିସ ବିଭାଗ ସଜାଗ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ନିୟମର ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି । ଜିଲ୍ଲାର ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ଏସପି ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।