ରାଜ୍ୟରେ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରୀ ନାହିଁ , ଲାଗିଲା ଆର୍ଥିକ କଟକଣା

ଭୁବନେଶ୍ୱର, ୭/୭ : କରୋନା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଲାଗିଲା ଆର୍ଥିକ କଟକଣା । ନୂଆ ନିଯୁକ୍ତି, ଯୋଜନା, ପ୍ରକଳ୍ପ ସବୁ ଉପରେ ଲାଗିଲା ରୋକ୍‌ । ଆସନ୍ତା ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସବୁ ପ୍ରକାର ନୂଆ ନିଯୁକ୍ତି, ନୂଆ ପ୍ରକଳ୍ପ ପାଇଁ ଟେଣ୍ଡର, ନୂଆ ଅଫିସ, ଗେଷ୍ଟ ହାଉସ ଓ କର୍ମଚାରୀ ବାସଭବନ ନିର୍ମାଣ ସମେତ ସରକାରୀ ଗାଡ଼ି କିଣା, ବିମାନ ଓ ଟ୍ରେନ୍‌ ଯାତାୟତ, କର୍ମଚାରୀଙ୍କୁ ଏଲଟିସି ସୁବିଧା, ସରକାରୀ କାର୍ଯ୍ୟରେ ରାଜ୍ୟରେ ହୋଟେଲରେ ରହିବା, ହୋଟେଲରେ ସରକାରୀ ବୈଠକ ଓ ଭୋଜି ଆୟୋଜନ ଆଦି ଉପରେ କଟକଣା ଜାରି ହୋଇଁଛି । ଏଥି ସହ ୫ବର୍ଷ ପର୍ଯ୍ୟନ୍ତ ଖାଲି ପଡ଼ିଥିଲା ସମସ୍ତ ପଦବୀ ଚଳିତମାନ ୩୧ ତାରିଖ ସୁଦ୍ଧା ପ୍ରଶାସନିକ ବିଭାଗଗୁଡ଼ିକୁ ଉଚ୍ଛେଦ କରିବେ ଓ କୌଣସି ନୂଆ ଯୋଜନା ପାଇଁ ଅର୍ଥ ବରାଦ ହେବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦେଶନାମା  ଜାରି ହୋଇଛି । ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ସମସ୍ତ ପ୍ରଶାସନିକ ବିଭାଗର ସଚିବଙ୍କୁ ଚିଠି ଲେଖି  ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ କୋଭିଡ୍‌ ପରିଚାଳନା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ସରକାରୀ ବିଭାଗରେ କାଣ୍ଟଛାଣ୍ଟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।