୩୫ ପ୍ଲାଟୁନ୍ ପୋଲିସ ଜଗିବେ ବିଧାନସଭା; ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ଗୃହ

ଭୁବନେଶ୍ୱର, ୧୭/୧୧ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ। ଏଥିପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା। ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ। ଏହା ସହ ଆତତାୟୀ ଆକ୍ରମଣ କିମ୍ବା ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ (STU)ର କମାଣ୍ଡୋମାନେ ସଜାଗ ରହିବେ। ପୋଲିସ ଡିଜି ବିନୟତୋଷ ମିଶ୍ର ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ଏନେଇ ସୂଚନା ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଡ୍ରୋନ୍ ମଧ୍ୟ ମହଜୁଦ ରଖାଯିବ। ଭିଡ଼ ନିୟନ୍ତ୍ରଣ ବାହାରକୁ ଗଲେ ଏହାର ସହାୟତା ନିଆଯିବ।

ଅଧିବେଶନ ପୂର୍ବରୁ ବିଧାନସଭା ଭିତର ଓ ବାହାରେ ସୁରକ୍ଷା ଯାଞ୍ଚ ଜୋରଦାର କରାଯାଇଛି। ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାଡ୍‌ ପକ୍ଷରୁ ବିଧାନସଭାର କୋଣ ଅନୁକୋଣ ଯାଞ୍ଚ କରାଯାଉଛି। ବିସ୍ଫୋରକ ସାମଗ୍ରୀ ଏବଂ ସନ୍ଦିଗ୍ଧ ବସ୍ତୁ ଉପରେ ରଖାଯାଇଛି କଡ଼ା ନଜର। ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ ବ୍ୟାରିକେଡ୍ କରାଯିବା ସହ ପୂରା ଅଞ୍ଚଳକୁ ସିଲ୍ କରାଯିବ। କେବଳ ଅନୁମତିପ୍ରାପ୍ତ ଗାଡ଼ିକୁ ଯାତାୟାତ ପାଇଁ ଅନୁମତି ମିଳିବ। ବିଧାୟକ ଓ ମନ୍ତ୍ରୀଙ୍କ ପାଇଁ ଗୋଟିଏ ପ୍ରବେଶପଥ, ସାମ୍ବାଦିକଙ୍କ ପାଇଁ ଅଲଗା ଗେଟ୍ ଏବଂ ବାଚସ୍ପତିଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶପଥ ବ୍ୟବସ୍ଥା କରାଯାଇଛି। ବିଧାନସଭା ନିକଟବର୍ତ୍ତୀ କୋଠାଗୁଡ଼ିକର ଛାତ ଉପରେ ମଧ୍ୟ ସୁରକ୍ଷାକର୍ମୀ ମୁତୟନ ହେବେ। ପ୍ରତିଦିନ ଅଧିବେଶନ ଆରମ୍ଭ ପୂର୍ବରୁ ଡଗ୍ ସ୍କ୍ୱାଡ୍ ଓ ଆଣ୍ଟି-ସାବୋଟାଜ୍ ଟିମ୍ ପକ୍ଷରୁ ପୂରା ବିଲ୍ଡିଂ ଯାଞ୍ଚ କରାଯିବ।

ବିଧାନସଭା ଚାରିପାଖରେ ୩ଟି କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବ। ଆଇଜି ପାର୍କ ପଟୁ ଗାନ୍ଧୀମାର୍ଗରେ ୟୁନିଫାଏଡ୍ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଏଠାରୁ ସିସିଟିଭି କ୍ୟାମେରା ମାଧ୍ୟମରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯିବ। ଧାରଣାସ୍ଥଳରେ ଥିବା କଣ୍ଟ୍ରୋଲ ରୁମ୍‌ରୁ ଆନ୍ଦୋଳନକାରୀ ଓ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯିବ। ଏହା ସହ ପୋଲିସ ରିଜର୍ଭ ପଡ଼ିଆରେ ଏକ ଅସ୍ଥାୟୀ ହାଜତ ନିର୍ମାଣ କରାଯିବ। ଧାରଣା ସମୟରେ କେହି ଆଇନ ହାତକୁ ନେଲେ, ସେମାନଙ୍କୁ ସେଠାରେ ଅଟକ ରଖାଯିବ। ବିଧାନସଭା ଅଧିବେଶନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।