୨୦୨୧ ମସିହା ପାଇଁ ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୁଷଣ ଓ ୫ ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ,୯/୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ୨୦୨୧ ମସିହା ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ୭ଟି ପଦ୍ମ ବିଭୁଷଣ, ୧୦ଟି ପଦ୍ମଭୂଷଣ ଓ ୧୦୨ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଶାରୁ ସ୍ଥପତି ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ଡକ୍ଟର ରଜତ କର, ପୂର୍ଣ୍ଣମାସୀ ଜାନୀ, ଶାନ୍ତିଦେବୀ, କୃଷ୍ଣ ମୋହନ ପାଠୀ ଓ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି।

ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଉତ୍ସବରେ ପ୍ରତ୍ନତ୍ତ୍ୱବିତ୍‍ ପ୍ରଫେସର ବ୍ରଜବାସୀ ଲାଲ ଓ ଅନ୍ୟମାନଙ୍କୁ ପଦ୍ମବିଭୂଷଣ ପୁରସ୍କାର ଦିଆଯାଇଥିବା ବେଳେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ରାମବିଳାସ ପାଶ୍‍ୱନ୍‍ ଓ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ୍‍ଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ପୁରସ୍କାର ଦିଆଯାଇଛି। ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନୃପେନ୍ଦ୍ର ମିଶ୍ର ଓ ଅନ୍ୟମାନଙ୍କୁ ପଦ୍ମଭୂଷଣ ପୁରସ୍କାର ମିଳିଛି। ପଦ୍ମଶ୍ରୀ ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ସମାଜସେବିକା ଲକ୍ଷ୍ମୀ ବରୁଆ, ଲୋକନୃତ୍ୟ ସଙ୍ଗୀତଜ୍ଞ ଗୋପୀରାମ୍‍ ବର୍ଗିଆନ୍‍ ବୁରାଭକତ୍‍, କଳାକାର ଦୁଲାରୀ ଦେବୀ, ସଙ୍ଗୀତଜ୍ଞ ବମ୍ବେ ଜୟଶ୍ରୀ ଏବଂ ଅସ୍ଥିଶଲ୍ୟ ବିଶେଷଜ୍ଞ ଡକ୍ଟର ବି.କେ.ଏସ୍‍. ସଞ୍ଜୟ, ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି।