ଟି-୨୦ ବିଶ୍ଵ କପ : ନ୍ୟୁଜିଲାଣ୍ଡକୁ ୫ ଓ୍ଵିକେଟ୍‌ରେ ହରାଇଲା ପାକିସ୍ତାନ, ପହଞ୍ଚିଲା ଶୀର୍ଷରେ

ସାରଜା : ଟି-୨୦ ବିଶ୍ଵ କପର ସୁପର ୧୨ ରାଉଣ୍ଡର ନିଜର ଦ୍ଵିତୀୟ ମୁକାବିଲାରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହ ଦୁଇ ମ୍ୟାଚ୍‌ରୁ ଦୁଇ ବିଜୟ ସହ ଦ୍ଵିତୀୟ ଗ୍ରୁପରେ ଥିବା ପାକିସ୍ତାନ ଶୀର୍ଷରେ ପହଞ୍ଚିଛି। ହରିଶ ରଉଫଙ୍କ ୪ ଓ୍ଵିକେଟ୍ ପରେ ବ୍ୟାଟସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ପାକିସ୍ତାନ ଏହି ରୋମାଞ୍ଚକର ମ୍ୟାଚ୍‌କୁ ୫ ଓ୍ଵିକେଟ୍‌ରେ ଜିତି ନେଇଛି। ପାକିସ୍ତାନ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତକୁ ୧୦ ଓ୍ଵିକେଟ୍‌ରେ ହରାଇଥିଲା। ନ୍ୟୁଜିଲାଣ୍ଡ ନିଜର ଦ୍ଵିତୀୟ ମ୍ୟାଚ୍‌ରେ ଅକ୍ଟୋବର ୩୧ରେ ଭାରତକୁ ଭେଟିବ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୮ ଓ୍ଵିକେଟ୍ ହରାଇ ୧୩୪ ରନ କରିଥିଲା। ଦଳ ପକ୍ଷରୁ ଡାର୍ଲି ମିଚେଲ୍ ୨୭, ଡେଭିଡ୍ କନଭୟ୨୭ ଓ କେନ୍ ଓ୍ଵିଲିୟମସନ ୨୫ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ହାରିସ ରଉଫ ୪ ସଫଳତା ନେଇଥିଲେ। ଶାହିନ ଆଫ୍ରିଦି, ଇମାଦ ଓ୍ଵାସିମ ଓ ମହମ୍ମଦ ହାଫିଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ପାକିସ୍ତାନ ମହମ୍ମଦ ରିଜଓ୍ଵାନଙ୍କ ୩୩ ରନ ଏବଂ ସୋଏବ ମଲିକଙ୍କ ଅପରାଜିତ ୨୬ ଓ ଆସିଫ ଅଲ୍ଲୀଙ୍କ ଅପରାଜିତ ୨୭ ରନ ବଳରେ ୧୮.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବିଶେଷ କରି ସୋଏବ ମଲିକ ଓ ଆସିଫ ଅଲୀଙ୍କ ମଧ୍ୟରେ ଷଷ୍ଠ ଓ୍ଵିକେଟ୍‌ରେ ୪୮ ରନ ଭାଗିଦାରୀ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶାଣିତ ବୋଲିଂ କରି ୨୨ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ହାରିସ ରଉଫ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।