ନୂଆଦିଲ୍ଲୀ, ୨୩/୦୫ : ପେଟ୍ରୋଲ ଲିଟର ପିଛା ୮୭ ପଇସା ଓ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ଚଳିତ ମାସରେ ୩ ଥର ଦର ବୃଦ୍ଧି ହୋଇଛି । ବିଶ୍ୱ ବଜାରରେ ଅଶୋଧିତ ତେଲର ମୂଲ୍ୟ କ୍ରମାଗତ ଭାବେ ବଢୁଛି। ବିଶ୍ୱ ବଜାରରେ ଅଶୋଧିତ ତେଲର ମୂଲ୍ୟ କ୍ରମାଗତ ଭାବେ ବଢୁଛି। ଦର ବୃଦ୍ଧି ପରେ ସାଧାରଣ ଗ୍ରାହକ ଓ ପରିବହନ କ୍ଷେତ୍ର ଉପରେ ଆର୍ଥିକ ବୋଝ ପଡ଼ିବ। ପଶ୍ଚିମ ଏସିଆରେ ଦେଖାଦେଇଥିବା ଭୂ-ରାଜନୈତିକ ତିକ୍ତତା ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବଢୁଥିବାରୁ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡ଼ିଛି। ଚଳିତ ମାସରେ ଖୁଚୁରା ଜାଳେଣି ଦରରେ ଏହା ହେଉଛି ତୃତୀୟ ଥର ପାଇଁ ବଡ଼ ବୃଦ୍ଧି। ତେଲ ଡିଲରମାନଙ୍କ ସୂଚନା ଅନୁସାରେ ନୂଆଦିଲ୍ଲୀରେ ନୂଆ ଦର ଲାଗୁ ହେବା ପରେ ପେଟ୍ରୋଲ ଲିଟର ୯୯ ଟଙ୍କା ୫୧ ପଇସା ଓ ଡିଜେଲ ମୂଲ୍ୟ୯୨ ଟଙ୍କା ୪୯ ପଇସା ରହିଛି।
ଚଳିତ ମାସରେ ତେଲ ଦରରେ ତୃତୀୟ ବଡ଼ ବୃଦ୍ଧି ପଛରେ ମୁଖ୍ୟତଃ ବିଶ୍ୱ ବଜାରର ସ୍ଥିତି ଓ ଆନ୍ତର୍ଜାତୀୟ ରାଜନୀତି ଦାୟୀ । ଏହାର ପ୍ରମୁଖ କାରଣ ହେଲା ପଶ୍ଚିମ ଏସିଆରେ ଚାଲିଥିବା ସାମରିକ ତିକ୍ତତା ଯୋଗୁଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଦେଇ ତେଲ ପରିବହନ ବାଧାପ୍ରାପ୍ତ ହୋଇଛି । ବିଶ୍ୱର ପ୍ରାୟ ୨୦% ଅଶୋଧିତ ତୈଳ ଏହି ରାସ୍ତା ଦେଇ ଯାଇଥାଏ । ଏହି ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ତେଲର ଅଭାବ ଦେଖାଦେଇଛି । ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ମୂଲ୍ୟ ଆକାଶଛୁଆଁ ହୋଇଛି । ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ବ୍ୟାରେଲ୍ ପିଛା ୧୦୦ ରୁ ୧୦୫ ଡଲାର ପାର୍ କରିଯାଇଛି । ଆନ୍ତର୍ଜାତୀୟ ବଜାରରେ ଦାମ୍ ବଢ଼ିବା ସତ୍ତ୍ୱେ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରାହକମାନଙ୍କୁ ସୁରକ୍ଷା ଦେବା ପାଇଁ ଦର ବଢ଼ାଇ ନଥିଲେ । ଏହା ଦ୍ୱାରା କମ୍ପାନୀଗୁଡ଼ିକୁ ପ୍ରତିଦିନ ଶହ ଶହ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଥିଲା । ଏବେ ସେହି କ୍ଷତିର ଭରଣା କରିବା ଏବଂ ବଜାର ସ୍ଥିତି ସହ ତାଳ ମିଳାଇବା ପାଇଁ କମ୍ପାନୀଗୁଡ଼ିକ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି ।