ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨ /୮: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ମୃତ୍ୟୁ ପରେ ଶେଷ ଦର୍ଶନ କରିବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କଲ୍ୟାଣ ସିଂଙ୍କର ଗତକାଲି ରାତିରେ ୮୯ ବର୍ଷ ବୟସରେ ପରଲୋକ ହୋଇଥିଲା। ସେ ଲକ୍ଷ୍ନୌସ୍ଥିତ ଏସ୍‌ଜିପିଜିଆଇ ହସ୍‌ପିଟାଲରେ ଅନ୍ତିମ ଶ୍ୱାସକ୍ରିୟା ତ୍ୟାଗ କରିଥିଲେ। ଗତ ଦେଢ଼ମାସ ଧରି ବିଭିନ୍ନ ରୋଗରେ ପୀଡିତ ଥିବା କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଥିଲା। ଗତକାଲି ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବା ଫଳରେ ତାଙ୍କର ପରଲୋକ ଘଟିଥିଲା।