ନୂଆଦିଲ୍ଲୀ, ୨୯/୦୭ : ପ୍ରେମ ସମ୍ପର୍କକୁ ବିବାହର ରୂପ ଦେବା ପାଇଁ ଚାହୁଁଥିଲେ ପ୍ରେମିକା। ସେଥିପାଇଁ ବାହା ହେବାକୁ ପ୍ରେମିକଙ୍କ ପାଖରେ ନେହୁରା ହେଉଥିଲେ। ହେଲେ ନିର୍ଦ୍ଦୟ ପ୍ରେମିକ ଖେଳିଲା ପ୍ରେମିକାଙ୍କ ଜୀବନ ସହ ଖେଳ। ଚଳନ୍ତା ବାଇକ୍ରେ ପ୍ରେମିକାଙ୍କୁ ଘୋଷାଡ଼ି ନେଲା ୧୦୦ ମିଟର। ସ୍ଥାନୀୟ ଲୋକଙ୍କ ମାଡ଼ ଭୟରେ ଜୀବନ ବିକଳରେ ପ୍ରେମିକାଙ୍କୁ କହିଲେ ଇଏ ମୋ ସ୍ତ୍ରୀ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପରି ଘଟଣା ବିହାରରେ ଘଟିଛି। ନବାଦା ଜିଲ୍ଲା ନାରଦୀଗଞ୍ଜ ଅଞ୍ଚଳରେ ଅମିନ ଭାବେ କାର୍ୟ୍ୟରତ ଥିଲେ ରାହୁଲ(ଛଦ୍ମନାମ)। ସେ ପାଞ୍ଚ ବର୍ଷ ଧରି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଯୁବତୀ ଜଣକ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଚାରିରୁ ପାଞ୍ଚ ଦିନ ତଳେ ରାହୁଲ ତାଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ ରାଜଗିର ଯାଇଥିଲେ। କଥାବାର୍ତ୍ତା ବେଳେ ଯୁବତୀ ବିବାହ କରିବାକୁ ଜିଦ୍ ଧରିଥିଲା। ହେଲେ ବିବାହ ପାଇଁ ସମୟ ଗଡ଼ାଇ ଚାଲୁଥିଲେ ରାହୁଲ। ଯାହାକୁ ନେଇ ଉଭୟଙ୍କ ଭିତରେ ବଚସା ଆରମ୍ଭ ହୋଇଥିଲା।
ବିବାଦ ବଢ଼ିବା ପରେ ପ୍ରେମିକା ଚାଲି ଚାଲି ପଳାଇ ଯାଉଥିଲେ। ହେଲେ ରାଗରେ ଜର୍ଜରୀତ ଥିବା ଅଭିଯୁକ୍ତ ରାହୁଲ ବାଇକ ଚାଲାଉଥିବା ବେଳେ ପ୍ରେମିକାଙ୍କୁ କେବକୁ ଧରି ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଯୁବତୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଅଭିଯୁକ୍ତ ଯୁବକ ବାଇକ ବେଗ ବଢ଼ାଇ ଆଗକୁ ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ଏହି ଟଣାଓଟରା ଭିତରେ ବାଇକ ସନ୍ତୁଳନ ହରାଇଥିଲା। ଆଉ ଉଭୟ ରାସ୍ତାରେ ପଡ଼ି ଯାଇଥିଲେ। ଏହାପରେ ଉଭୟ ଉଠି ପୁଣି ଥରେ ଝଗଡ଼ା କରୁଥିଲେ।
ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦେଖୁଦେଖୁ ସେଠାରେ ଭିଡ଼ ଜମିଯାଇଥିଲା। ସ୍ଥାନୀୟ ଲୋକେ ଅଭିଯୁକ୍ତ ଯୁବକଙ୍କୁ କାବୁ କରି ମାଡ଼ ମାରିଥିଲେ। ମାଡ଼ ଅତ୍ୟଧିକ ହେବାରୁ ଜୀବନ ବିକଳରେ ପ୍ରେମିକ ପ୍ରବର କହିଥିଲେ ସିଏ(ଯୁବତୀ) ମୋ’ ପତ୍ନୀ। ସେ ଏହାକୁ ସ୍ୱାମୀ-ସ୍ତ୍ରୀଙ୍କ ବ୍ୟକ୍ତିଗତ ମାମଲା ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ। ଉଭୟଙ୍କୁ ଥାନାକୁ ନେଇଥିଲା। ପଚରାଉଚରା ପରେ ଜଣାପଡ଼ିଛି ଉଭୟ ସ୍ୱାମୀ ଓ ସ୍ତ୍ରୀ ନୁହେଁ। ବରଂ ବିବାହକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏନେଇ ପୀଡ଼ିତା ନାରଦୀଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।ରାଜଗିର ଥାନା ପ୍ରଭାରୀ ଅଭିଜୀତ କୁମାର କହିଛନ୍ତି; ପ୍ରାଥମିକ ତଦନ୍ତରେ ନିଶ୍ଚିତ ହୋଇଛି ଯେ ଅଭିଯୁକ୍ତ ଯୁବକ ସରକାରୀ ପଦବୀରେ ଅମିନ ଭାବେ କାର୍ୟ୍ୟରତ ଅଛନ୍ତି। ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରାଯାଉଛି।
