ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଫେରୁଥିଲା ପୁଅ, ଦୁର୍ଘଟଣାରେ ଚାଲିଗଲା ଜୀବନ

ବରଗଡ଼,୨୭/୬ : ବାପାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପାଖକୁ ଯାଉଥିବା ପୁଅର ସଡ଼କ ଦୁର୍ଘଟଣାରେ ମୃତ୍ୟୁ । ଝାରସୁଗୁଡ଼ା ପୌରାଞ୍ଚଳ ବାଲିଜୋରୀଠାରେ ରହୁଥିବା ଏହି ମେହେର ପରିବାରର ଦୁଇ ବାପ-ପୁଅଙ୍କ ଏଭଳି ହୃଦୟ ବିଦାରକ ମୃତ୍ୟୁ ଘଟଣା ସମଗ୍ର ସହରରେ ଶୋକର ଛାୟା ଖେଳେଇ ଦେଇଛି । ଶତାଧିକ ଲୋକ ଶନିବାର ସନ୍ଧ୍ୟାରେ ଶବ ଆସିବାକୁ ଅପେକ୍ଷା କରି ରହିବା ସହ ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହରର କାଳୀମନ୍ଦିର ଶ୍ମଶାନରେ ଉଭୟଙ୍କ ଚିତା ଜଳିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ପିତା ମହେଶ କୁମାର ମେହେର (୭୦) ଗତ କିଛି ଦିନ ହେଲା କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହେଲେ ସ୍ୱାସ୍ଥାବସ୍ଥାରେ ସୁଧାର ନ ହେବା ସହ ଆଜି ସକାଳ ପ୍ରାୟ ୭ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁଃଖଦ ଖବର ପାଇବା ପରେ ପୁଅ ସୂର୍ଯ୍ୟ ପ୍ରକାଶ ମେହେର (୩୭) ବୁଲେଟ୍‌ ମୋଟର ସାଇକେଲ୍‌ (ଓଡି୨୩ଏଫ୍‌ ୫୫୩୭) ଯୋଗେ ବରଗଡ଼ ଅଭିମୁଖେ ଝାରସୁଗୁଡ଼ାରୁ ବାହାରିଥିଲେ । ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ମିନିଟ ସମୟରେ ବରଗଡ଼ ଜିଲ୍ଲା ଅତାବିରାଠାରେ ଠିକ ଥାନା ସମ୍ମୁଖରେ ପହଞ୍ଚିବା ପରେ ଏକ ବଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା ଉପରେ ପଡ଼ି ଯାଇଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍‌ ଗତି ନିୟନ୍ତ୍ରିତ କରି ନ ପାରି ସୂର୍ଯ୍ୟ ପ୍ରକାଶଙ୍କ ମୁଣ୍ଡ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଝାରସୁଗୁଡ଼ା ଟାଉନ ଥାନା ପୁଲିସ୍‌ ମାଧ୍ୟମରେ ପରିବାର ଲୋକେ ସୂର୍ଯ୍ୟପ୍ରକାଶଙ୍କ ମୃତ୍ୟୁ ସଂପର୍କରେ ସୂଚନା ପାଇବା ପରେ ସଂପର୍କୀୟମାନେ ବରଗଡ଼ରେ ପହଞ୍ଚିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅଜଣା ଗାଡ଼ି ଧକ୍କା ଦେଇଥିବା ବେଳେ ଏଯାଏ ତାହା ଠାବ କରାଯାଇ ପାରିନାହିଁ ବୋଲି ଅତାବିରା ପୁଲିସ୍‌ କହିଛି ।