ଭାରତ ମାତା ପ୍ରତିଛବି ଥିବା ସ୍ମାରକୀ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଅନୁଷ୍ଠିତ ସମାରୋହରେ ଯୋଗଦେଇଛନ୍ତି। ଆରଏସ୍‌ଏସ୍‌ର ଅବଦାନକୁ ଦର୍ଶାଇ ଏକ ସ୍ମାରକୀ ଡାକ ଟିକେଟ୍ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଭାରତ ସରକାର ସଂଘର ଗୌରବମୟ ୧୦୦ ବର୍ଷର ଯାତ୍ରାକୁ ସ୍ମରଣ କରିବା ପାଇଁ ସ୍ବତନ୍ତ୍ର ଡାକ ଟିକେଟ୍ ଏବଂ ସ୍ମାରକୀ ମୁଦ୍ରା ଜାରି କରିଛନ୍ତି । ୧୦୦ ଟଙ୍କାର ଏହି ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଜାତୀୟ ପ୍ରତୀକ ଏବଂ ଅନ୍ୟ ପାର୍ଶ୍ୱରେ ସିଂହ ସହିତ ମୁଦ୍ରାରେ ଭାରତ ମାତାର ଏକ ମହିମାମୟ ପ୍ରତିଛବି ରହିଛି ।

ତେବେ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ “ଆଜି ମହାନବମୀ। ଆଜି ଦେବୀ ସିଦ୍ଧିଦାତ୍ରୀଙ୍କ ଦିନ। ମୁଁ ମୋର ସମସ୍ତ ଦେଶବାସୀଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଉଛି। ଆସନ୍ତାକାଲି ବିଜୟାଦଶମୀର ମହାନ ପର୍ବ – ଅନ୍ୟାୟ ଉପରେ ନ୍ୟାୟର ବିଜୟ, ମିଥ୍ୟା ଉପରେ ସତ୍ୟର ବିଜୟ, ଅନ୍ଧାର ଉପରେ ଆଲୋକର ବିଜୟ। ବିଜୟାଦଶମୀ ହେଉଛି ଭାରତୀୟ ସଂସ୍କୃତିର ଏହି ଧାରଣା ଏବଂ ବିଶ୍ୱାସର ଏକ କାଳଜୟୀ ଘୋଷଣା।”