ଭୁବନେଶ୍ୱର, ୩୦/୦୭ : ଭଗବାନ ଶିବଙ୍କ ଆରାଧନା ପାଇଁ ସବୁଠୁ ପବିତ୍ର ମାସ ହେଉଛି ଶ୍ରାବଣ । ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ଭୋଳାନାଥଙ୍କ କୃପା ପାଇବା ପାଇଁ ଦେଶର ବିଭିନ୍ନ ଶିବ ମନ୍ଦିରରେ ସକାଳୁ ସକାଳୁ ଲାଗିଛି ଭକ୍ତଙ୍କ ଭିଡ଼। ଏହି ପବିତ୍ର ମାସରେ ଜଳାଭିଷେକ, ରୁଦ୍ରାଭିଷେକ, ଉପବାସ ଓ ଶିବନାମ ସ୍ମରଣର ବିଶେଷ ମହତ୍ତ୍ୱ ରହିଛି । ଚାଲନ୍ତୁ ଜାଣିବା, ଶ୍ରାବଣର ପ୍ରଥମ ଦିନରେ କିପରି କରିବେ ମହାଦେବଙ୍କ ପୂଜା ଏବଂ କେଉଁ ସମୟରେ ଜଳାଭିଷେକ କଲେ ମିଳିବ ଶୁଭଫଳ । ଆଜିଠାରୁ ଆରମ୍ଭ ହୋଇଛି ଭଗବାନ ଶିବଙ୍କ ପ୍ରିୟ ପବିତ୍ର ଶ୍ରାବଣ ମାସ । ଏହି ମାସ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସନାତନ ପରମ୍ପରାରେ ଶ୍ରାବଣକୁ ଶିବ ଉପାସନା, ଭକ୍ତି, ତପସ୍ୟା ଓ ସାଧନାର ମାସ ଭାବେ ମନାଯାଏ । ଏହି ସମୟରେ ଭକ୍ତମାନେ ଉପବାସ ରଖିବା ସହ ମହାଦେବଙ୍କୁ ଜଳ, କ୍ଷୀର, ବେଲପତ୍ର, ଧତୁରା, ଆକୁଣ୍ଡ ଫୁଲ ଓ ଫଳ ଅର୍ପଣ କରି ଆଶୀର୍ବାଦ ପ୍ରାର୍ଥନା କରନ୍ତି। ଶ୍ରଦ୍ଧାର ସହ ଜଳାଭିଷେକ କଲେ ଜୀବନର ବାଧାବିଘ୍ନ ଦୂର ହେବା ସହ ସୁଖ, ଶାନ୍ତି ଓ ସମୃଦ୍ଧି ଲାଭ ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି । ଶ୍ରାବଣର ପ୍ରଥମ ଦିନରେ ବ୍ରହ୍ମ ମୁହୂର୍ତ୍ତ, ପ୍ରାତଃକାଳ, ଅଭିଜିତ ମୁହୂର୍ତ୍ତ ଓ ପ୍ରଦୋଷ କାଳକୁ ଜଳାଭିଷେକ ପାଇଁ ଶୁଭ ସମୟ ବୋଲି କୁହାଯାଇଛି। ଏହି ଦିନ ଶ୍ରବଣ ନକ୍ଷତ୍ର ସମେତ ଅନେକ ଶୁଭ ଯୋଗ ସୃଷ୍ଟି ହୋଇଥିବାରୁ ଶିବ ପୂଜାର ଫଳ ଅଧିକ ମିଳିବ ବୋଲି ଜ୍ୟୋତିଷ ମତ ପ୍ରକାଶ ପାଇଛି। ପୂଜା ପୂର୍ବରୁ ସ୍ନାନ କରି ପବିତ୍ର ବସ୍ତ୍ର ପରିଧାନ କରିବା, ତା’ପରେ ଶିବଲିଙ୍ଗରେ ଶୁଦ୍ଧ ଜଳ ଅର୍ପଣ କରି ବେଲପତ୍ର, ଚନ୍ଦନ, ଧୂପ, ଦୀପ ଓ ନୈବେଦ୍ୟ ସହ ପୂଜା କରିବାକୁ କୁହାଯାଏ। ପୂଜା ସମୟରେ “ଓଁ ନମଃ ଶିବାୟ” ମନ୍ତ୍ର ଜପ କରିବା ବିଶେଷ ଶୁଭ ମନାଯାଏ । ଶ୍ରାବଣ ମାସ କେବଳ ଧାର୍ମିକ ଆଚାରର ନୁହେଁ, ବରଂ ଆତ୍ମଶୁଦ୍ଧି, ସଂଯମ ଓ ଭକ୍ତିର ପ୍ରତୀକ । ଏହି ପବିତ୍ର ମାସରେ ସତ୍ୟ, ସେବା ଓ ସଦାଚାରର ପଥ ଅନୁସରଣ କଲେ ଭଗବାନ ଭୋଳେନାଥଙ୍କ ବିଶେଷ କୃପା ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ ।
