ବ୍ରିକ୍ସ ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ମୁତୟନ ହେବେ ୭ ହଜାର ଯବାନ

 

ନୂଆଦିଲ୍ଲୀ, ୧୦/୦୯ : ଆସନ୍ତାକାଲି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍‌ରେ ଆୟୋଜିତ ହେବାକୁ ଥିବା ତିନିଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମାସକ ଧରି ଚାଲିଥିବା ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କରାଯାଇଛି।କନଟ୍ ପ୍ଲେସ୍‌, ଖାନ୍ ମାର୍କେଟ୍‌ ସମେତ ପ୍ରମୁଖ ଅଞ୍ଚଳରେ ବ୍ରିକ୍ସ ସମ୍ମିଳନୀ ସମ୍ପର୍କିତ ବ୍ୟାନର ଲଗାଯାଇଥିବା ବେଳେ ରାତିରେ ଆଲୋକୀକରଣକୁ ମଧ୍ୟ ବଢ଼ାଯାଇଛି। ପ୍ରତିନିଧିମାନଙ୍କ ଯାତାୟାତ ସୁଗମ କରିବା ଏବଂ ସୁରକ୍ଷା ନିଶ୍ଚିତ କରିବା ପାଇଁ କିଛି ରାସ୍ତାରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯିବା ସହ ଆବଶ୍ୟକସ୍ଥଳେ ସ୍ଥାନୀୟ ଯାତାୟାତ ବନ୍ଦ କରାଯିବ।ନୂଆଦିଲ୍ଲୀ ଜିଲ୍ଲା ଡିସିପି ସଚିନ ଶର୍ମା କହିଛନ୍ତି ଯେ ସମ୍ମିଳନୀକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା, ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୋଲିସ କର୍ମଚାରୀଙ୍କୁ ଏକାଧିକ ପର୍ଯ୍ୟାୟରେ ବ୍ରିଫିଂ ଦିଆଯାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ଦିଗ ଯାଞ୍ଚ କରୁଛନ୍ତି।ସମ୍ମିଳନୀ ସମୟରେ ଦିଲ୍ଲୀ ପୋଲିସ, ଅର୍ଦ୍ଧସାମରିକ ବାହିନୀ, ଏନ୍‌ଏସ୍‌ଜି ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିର ପ୍ରାୟ ୭ ହଜାର କର୍ମଚାରୀ ନିୟୋଜିତ ହେବା ଆଶା କରାଯାଉଛି।ଭାରତ ମଣ୍ଡପମ୍‌କୁ କେନ୍ଦ୍ର କରି ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଉଛି। ବିମାନବନ୍ଦର, ପ୍ରତିନିଧିମାନଙ୍କ ରହଣିସ୍ଥଳ ହୋଟେଲ ଏବଂ ସମ୍ମିଳନୀ ସ୍ଥାନକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଉପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ନଜର ରଖିବେ।ସୁରକ୍ଷା ବ୍ୟବସ୍ଥାରେ ଦିଲ୍ଲୀ ପୋଲିସ ସହ ଅର୍ଦ୍ଧସାମରିକ ବାହିନୀ, ଏନ୍‌ଏସ୍‌ଜି, ଗୁଇନ୍ଦା ବ୍ୟୁରୋ ଏବଂ ଏସ୍‌ପିଜି କର୍ମଚାରୀଙ୍କୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ନିରାପଦ ଓ ସୁଗମ ଯାତାୟାତ ସୁନିଶ୍ଚିତ କରିବା ସହ ସମ୍ମିଳନୀକୁ ନିରାପଦ ଭାବେ ସମ୍ପନ୍ନ କରିବା ଉପରେ ପ୍ରଶାସନର ଫୋକସ୍‌ ରହିଛି।