ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୫/୬: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ପରିସରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଆରମ୍ଭ ହୋଇଯାଇଛି। ରାତି ୧ଟାରେ ମଙ୍ଗଳାର୍ପଣ ପରେ ୪ଟା ଭିତରେ ପହଣ୍ଡି ବିଜେ ନୀତି ହୋଇଛି। ରତ୍ନସିଂହାନସରୁ ଆସି ଶ୍ରୀଜିଉମାନେ ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି । ସେବାୟତମାନେ ଶ୍ରୀଜିଉମାନଙ୍କୁ ଧାଡ଼ିପହଣ୍ଡିରେ ସ୍ନାନମଣ୍ଡପରେ ବିରାଜମାନ କରାଇଛନ୍ତି । ଶ୍ରୀମନ୍ଦିର ଇତିହାସରେ ଆଜିର ଦିନଟି ଉଲ୍ଲେଖ ରହିବ । କାରଣ ବିନା ଭକ୍ତିରେ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।ଦିନ ୧୧ଟାରୁ ୧୨ଟା ମଧ୍ୟରେ ମହାପ୍ରଭୁଙ୍କୁ ହାତୀବେଶରେ ସୁସଜ୍ଜିତ କରାଯିବ।

ସକାଳ ୪ଟା ୪୦ରେ ମଇଲମ, ୫ଟାରେ ତଡ଼ପ ଲାଗି, ୫ଟା ୩୦ରେ ଅଧର ପୋଛା ନୀତି ଅନୁଷ୍ଠିତ ହୋଇଛି। ସେହିପରି ୬ଟାରେ ଅବକାଶ, ୬ଟା ୩୦ରେ ରୋଷହୋମ, ୬ଟା ୪୫ରେ ସୂର‌୍ୟ୍ୟପୂଜା, ୭ଟାରେ ବେଶଶେଷ, ଦ୍ୱାରପାଳ ପୂଜା, ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳ ବିଜେ, ପୂଜା, ସ୍ନାନ, ୧୦ଟାରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ, ୧୦ଟା ୩୦ରେ ଛେରା ପହଁରା ନୀତି ହେବ।

ଦିନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା, ୧ଟାରୁ ୩ଟା ମଧ୍ୟରେ ଘଣ୍ଟଛତା ସକାଳଧୂପ, ୪ଟାରେ ହାତୀବେଶ ମଇଲମ, ୪ଟା ୩୦ରେ ପୁଷ୍ପାଞ୍ଜଳୀ ଓ ଡୋରଲାଗି, ୫ଟାରୁ ୮ଟା ମଧ୍ୟରେ ବାହୁଡା ପହଣ୍ଡି, ୮ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ, ୯ଟାରୁ ୧୨ଟା ମଧ୍ୟରେ ତାଟି ବନ୍ଧା, ରାତି ୧୨ଟା ୩୦ରେ ଦଶ ଅବତାର ବିଜେ ଅନୁଷ୍ଠିତ ହେବ। ରାତି ୧ଟାରେ ଠାକୁରଙ୍କୁ ମହାସ୍ନାନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

କୋଭିଡ-୧୯ ପାଇଁ ଏଥର ଶ୍ରୀଜିଉଙ୍କ ସ୍ନାନଯାତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଉପସ୍ଥିତି ନାହିଁ। ବିନା ଭକ୍ତ ଓ ଶ୍ରଦ୍ଧାଳୁରେ ସ୍ନାନଯାତ୍ରା ଚାଲିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାକୁ ପାଳନ କରାଯାଇ ମହାପ୍ରଭୁଙ୍କ ଯାତ୍ରା ଚାଲିଛି। ବଡ଼ଦାଣ୍ଡ ଖାଲି ପଡିଛି। ପୂର୍ବ ବର୍ଷ ଭଳି ପୋଲିସ ମଧ୍ୟ ମୁତୟନ ହୋଇନାହାନ୍ତି। କାରଣ ଭକ୍ତ ଓ ଶ୍ରଦ୍ଧାଳୁ ନଥିବାରୁ ପୋଲିସର ଭାର ମଧ୍ୟ ହ୍ରାସ ପାଇଛି।