ବାଥରୁମରେ ମହିଳାଙ୍କ ଭିଡିଓ ରେକର୍ଡିଂ ଘଟଣା, ଦୁଇ ଖେଳାଳିଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ, ୦୨/୦୫ : ଶ୍ରୀଲଙ୍କା କ୍ରିକେଟରେ ଲଜ୍ଜାଜନକ ଘଟଣା । ଶ୍ରୀଲଙ୍କା ଅଣ୍ଡର-୧୯ ଦଳର ଦୁଇ ଖେଳାଳିଙ୍କୁ ପୋଲିସ ଗିରଫ କରିଛି । ହୋଟେଲ ବାଥରୁମରେ ଗୁପ୍ତ ଭାବେ ମହିଳାଙ୍କ ଭିଡିଓ ରେକର୍ଡିଂ କରିଥିବା ନେଇ ଦୁଇ ଖେଳାଳି ଗିରଫ ହୋଇଛନ୍ତି । ଏହି ଘଟଣା କଲମ୍ବୋର ନାରାହେନପିଟା ଅଞ୍ଚଳରେ ଘଟିଛି । ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣା ରାଜଧାନୀ କଲମ୍ବୋର ନାରାହେନାପିଟା ଅଞ୍ଚଳରେ ଏକ ହୋଟେଲରେ ହୋଇଛି । ଶ୍ରୀଲଙ୍କା ୧୯ ବର୍ଷରୁ କମ୍ ଦଳ ଯେଉଁ ହୋଟେଲରେ ରହୁଥିଲା, ସେଠାରେ ଏକ ଡାକ୍ତରୀ ସମ୍ମିଳନୀ ହେଉଥିଲା । ଅନେକ ମହିଳା ଡାକ୍ତର ସେଠାକୁ ଆସିଥିଲେ । ଏହି ମହିଳା ଡାକ୍ତରମାନେ ଅଭିଯୋଗ କରିଥିଲେ ଯେ, ସେମାନେ ଗାଧୋଇବା ସମୟରେ କେହି ଜଣେ ମୋବାଇଲ୍ ଫୋନ୍ ବ୍ୟବହାର କରି ଗୁପ୍ତ ଭାବରେ ଭିଡିଓ ରେକର୍ଡ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଦୁଇ ଯୁବ କ୍ରିକେଟରଙ୍କୁ ଗିରଫ କରିଥିଲା । ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପ୍ରତ୍ୟେକଙ୍କୁ ୫-୫ ଲକ୍ଷ ଟଙ୍କାର ମୁଚାଳିକାରେ ଜାମିନ ଦିଆଯାଇଥିଲା । ପୋଲିସ ଡିଜିଟାଲ ଫରେନ୍ସିକ ଯାଞ୍ଚ ପାଇଁ ମୋବାଇଲ ଡାଟା ଖୋଳତାଡ କରୁଛି । ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୫ ତାରିଖରେ ହେବ । ଏହି ବିଷୟରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ ।