ଭୁବନେଶ୍ବର, ୦୨/୦୫ : ରାଜ୍ୟରେ ଆସନ୍ତା ୭ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । କାଳବୈଶାଖୀ ଯୋଗୁ ଆସନ୍ତା ଦୁଇ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ପବନର ବେଗ ୫୦ରୁ ୬୦ କିଲୋମିଟର ଯାଏଁ ବହିପାରେ। ଦିନେ ଦୁଇ ଦିନ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ପବନ ପ୍ରଭାବରେ ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ଅଘଟଣର ଦୃଶ୍ୟ । ଉଡେଇଲା, ବୁଡ଼େଇଲା, ଭାଙ୍ଗିଲା । ବିଭିନ୍ନ ସ୍ଥାନରେ ଉଡ଼ିଲା ଘରର ଛପର । ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା । କଳାହାଣ୍ଡିଆ ମେଘ ସହ ଝଡ଼ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଥିଲା ଜନଜୀବନ । ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କାଳ ରାତ୍ରିରେ କାଳ ସାଜିଲା କାଳବୈଶାଖୀ । ମଧ୍ୟ ରାତ୍ରରେ ପ୍ରଚଣ୍ଡ ଶବ୍ଦ କରି ବଜ୍ରାଘାତ ସାଙ୍ଗକୁ ଖୁବ୍ ଜୋର୍ ରେ ଝଡତୋଫାନ ହୋଇଥିଲା । ରାସ୍ତା ଉପରେ ଉପୁଡି ପଡିଥିଲା ବିରାଟ ବିରାଟ ଗଛ । ଦୀର୍ଘ ସମୟ ଧରି ଠପ୍ ହୋଇଯାଇଥିଲା ଯାତାୟାତ।