ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଭରତୀ, ଡିଏଫଓ ଏବଂ ରୋଷେୟାଙ୍କୁ ହାଜର ହେବାକୁ ସମନ

ଭୁବନେଶ୍ୱର : ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚିବା ଦଫାରେ ବିଚାର ହେବ। ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି।

ରେକର୍ଡ କରାଯାଇଥିବା ବୟାନ ଏବଂ ଅନ୍ୟାନ୍ୟ ଦଲିଲ ଦସ୍ତାବିଜକୁ ତର୍ଜମା କରି କୋର୍ଟ କହିଛନ୍ତି ଯେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗ ବିଚାରଯୋଗ୍ୟ । ତଥ୍ୟ ରହିଛି ତେଣୁ ଏହି ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର ପାଇଁ ସମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

୨୦୨୧, ଜୁଲାଇ ୧୨ରେ ସୌମ୍ୟରଞ୍ଜନଙ୍କ ଶରୀରରେ ସନ୍ଦେହଜନକ ପରିସ୍ଥିତିରେ ନିଆଁ ଲାଗି ଯାଇଥିବା ବେଳେ ୧୩ ତାରିଖ ଦିନ କଟକର ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ‌ରିପୋର୍ଟରୁ ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିବା ସ୍ପଷ୍ଟ ହୋଇଥିଲା। ଜୁଲାଇ ୧୪ରେ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ଓ ରୋଷେଇଆ ବିରୋଧରେ ପରିବାର ତରଫରୁ ଏତଲା ଦିଆଯିବା ପରେ ପାରଳାଖେମୁଣ୍ଡି ଥାନାରେ ଆଇପିସିର ଦଫା ୩୦୨ ଓ ୧୨୦-ଖରେ ମାମଲା ପଞ୍ଜୀକୃତ ହୋଇଥିଲା। ଆବେଦନକାରୀଙ୍କ ସହିତ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ମଧ୍ୟ କ୍ରାଇମବ୍ରାଞ୍ଚ ରେକର୍ଡ କରିଥିଲା। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଅବହେଳା କାରଣରୁ ହୋଇଥିବା ଦର୍ଶାଇ ତଦନ୍ତକାରୀ ସଂସ୍ଥା ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସର ଦଫା ୨୮୫ ଓ ୩୦୪-କ’ରେ ଚାର୍ଜସିଟ ଦାଖଲ କରିଥିଲା।