ନୂଆଦିଲ୍ଲୀ, ୧୭/୦୫ : ତାମିଲନାଡୁ ରାଜଭବନ ପକ୍ଷରୁ ନୂତନ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନକୁ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ନିଜ ପାଖରେ ଗୃହ ବିଭାଗ ରଖିଥିବା ବେଳେ ବରିଷ୍ଠ ନେତା କେ.ଏ. ସେଙ୍ଗୋଟ୍ଟାୟନଙ୍କୁ ରାଜ୍ୟର ନୂଆ ଅର୍ଥ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ୨୦୨୬ ବିଧାନସଭା ନିର୍ବାଚନରେ ତାମିଲଗା ଭେଟ୍ରି କାଜାଗାମ (TVK) ର ଏତିହାସିକ ବିଜୟ ପରେ, ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ କ୍ରମେ ମନ୍ତ୍ରୀମାନଙ୍କ ପୋର୍ଟଫୋଲିଓକୁ ଅନୁମୋଦନ କରିଛନ୍ତି। ରାଜ୍ୟପାଳଙ୍କ ଦ୍ୱାରା ଅନୁମୋଦିତ ଏହି ୧୦ ଜଣିଆ ନୂତନ ମନ୍ତ୍ରୀମଣ୍ଡଳର ପ୍ରମୁଖ ବିଭାଗ ଗୁଡ଼ିକ ହେଉଛି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ସାଧାରଣ ପ୍ରଶାସନ, ଗୃହ, ପୋଲିସ, ଯୁବ କଲ୍ୟାଣ ଏବଂ ପୌର ପ୍ରଶାସନ।
କେ.ଏ. ସେଙ୍ଗୋଟ୍ଟାୟନଙ୍କୁ ଅର୍ଥ ଏବଂ ପେନସନ ବିଭାଗର ଦାୟିତ୍ବ ମିଳିଛି। ସେହିପରି ଆଧବ ଅର୍ଜୁନଙ୍କୁ ପୂର୍ତ୍ତ ବିଭାଗ ଏବଂ କ୍ରୀଡ଼ା ବିକାଶ ବିଭାଗ। ସେଲଭି ଏସ. କୀର୍ତ୍ତନାଙ୍କୁ ଶିଳ୍ପ ଏବଂ ବିନିଯୋଗ ପ୍ରୋତ୍ସାହନ। ଡାକ୍ତର କେ.ଜି. ଅରୁଣରାଜଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ। ଆର. ନିର୍ମଳକୁମାରଙ୍କୁ ଶକ୍ତି ଏବଂ ଆଇନ ବିଭାଗ। ଏନ. ଆନନ୍ଦଙ୍କୁ ଗ୍ରାମ୍ୟ ଉନ୍ନୟନ ଏବଂ ଜଳ ସମ୍ପଦ। ରାଜମୋହନଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ତାମିଲ ଭାଷା ବିକାଶ। ପି. ଭେଙ୍କଟରମଣନଙ୍କୁ ଖାଦ୍ୟ ଏବଂ ଗ୍ରାହକ କଲ୍ୟାଣ। ଡାକ୍ତର ଟି.କେ. ପ୍ରଭୁଙ୍କୁ ପ୍ରାକୃତିକ ସମ୍ପଦ ବିଭାଗ ଦାୟିତ୍ବ ଦିଆଯାଇଛି। ଏହି ନୂତନ ମନ୍ତ୍ରୀମଣ୍ଡଳ ସହ ବିଜୟଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ନିଜର ପ୍ରଶାସନିକ କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି।