ବିଜୟଙ୍କ ବଡ଼ ନିଷ୍ପତ୍ତି, ୧୫ ଦିନ ମଧ୍ୟରେ ମଦ ଦୋକାନ ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨/୦୫ : ଥାଲପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ୍ ଷ୍ଟପ୍ ଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଥିବା ୭୧୭ଟି ସରକାରୀ TASMAC ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଦୁଇ ସପ୍ତାହ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ସ୍କୁଲ୍, କଲେଜ ଏବଂ ଧାର୍ମିକ ସ୍ଥଳ ନିକଟରେ ଥିବା ମଦ ଦୋକାନଗୁଡ଼ିକୁ ବନ୍ଦ କରିବା ପାଇଁ ଜନସାଧାରଣ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି । କିନ୍ତୁ ଏହା ଉପରେ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଯଦିଓ ପ୍ରତ୍ୟେକ ଦଳ ତାମିଲନାଡୁରେ ମଦ ନିଷେଧ ପ୍ରତିଶ୍ରୁତି ଦେଇଥିଲେ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ସେପଟେ ୨୦୨୩ ମସିହାରେ, ମଦ୍ୟପାନ ଜନିତ ମୃତ୍ୟୁ ପରେ ଏମକେ ଷ୍ଟାଲିନଙ୍କ ସରକାର ପ୍ରାୟ ୫୦୦ ସରକାରୀ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାମିଲନାଡୁରେ ୫,୦୦୦ରୁ ଅଧିକ ସରକାରୀ ମଦ ଦୋକାନ ଅଛି ଯାହାକୁ ପ୍ରାୟ ୪୦,୦୦୦ କୋଟି ଟଙ୍କାର ରେଭେନ୍ୟୁ ମିଳିଥାଏ । ଷ୍ଟାଲିନ୍ ସରକାର ଯେଉଁ ସବୁ ମଦ ଦୋକାନକୁ ବନ୍ଦ କରିଥିଲେ ସେହି ସ୍ଥାନରେ ଧାର୍ମିକ ସ୍ଥଳ, ସ୍କୁଲ ଏବଂ କଲେଜ ଥିଲା । ଏହାକୁ ବିରୋଧ କରୁଥିବା ଲୋକମାନଙ୍କୁ ମଧ୍ୟ ହଟାଇ ଦିଆଯାଇଥିଲା । ଚେନ୍ନାଇରେ ୬୧ଟି ଦୋକାନ, କାଞ୍ଚିପୁରମରେ ୩୧ଟି ଏବଂ ମାଦୁରାଇରେ ୨୧ଟି ଦୋକାନ ବନ୍ଦ କରାଯାଇଥିଲା । ଅନ୍ୟପଟେ ୨୦୧୬ମସିହା ପରଠାରୁ ଜୟଲଳିତା ଧୀରେ ଧୀରେ ମଦ ଦୋକାନ ବନ୍ଦ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ରାଜ୍ୟ ସରକାରମାନେ ଯୁକ୍ତି ଦେଇଛନ୍ତି ଯେ ସମ୍ପୂର୍ଣ୍ଣ ନିଷେଧ ବେଆଇନ ମଦ ପାଇଁ ପଥ ପ୍ରଶସ୍ତ କରିବ। ଫଳରେ ଜୀବନହାନି ଘଟିବ । ଏହା ଉଲ୍ଲେଖନୀୟ ଯେ ଷ୍ଟାଲିନଙ୍କ ସରକାର ସମୟରେ ପ୍ରାୟ ୬୦ ଜଣଙ୍କର ନକଲି ମଦ ଯୋଗୁଁ ମୃତ୍ୟୁ ହୋଇଥିଲା ।