ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜିଉରା ଗ୍ରାମରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବିବାହ ମଣ୍ଡପରେ ସାତ ଜନ୍ମ ପାଇଁ ସାକ୍ଷୀ ହୋଇ ବାହା ହୋଇଥିବା ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀ ଜୟନ୍ତୀ ସାହୁକୁ ନୃଶଂସ ଭାବେ ହତ୍ୟା କରି ବିଲରେ ଫୋଫାଡି ଦେଇଥିଲା । ଅଭିଯୁକ୍ତ ସ୍ୱାମୀ ଜଣକ ହେଲେ ନାରାୟଣ ସାହୁ (୪୫) । ଘଟଣାସ୍ଥଳରେ ପୋଲିସ ଅଭିଯୁକ୍ତ ନାରାୟଣକୁ ଥାନାରେ ଅଟକ ରଖି ପଚରାଉଚରା ଜାରି କରୁଥିବା ସୂଚନା ମିଳିଛି ।
ଖବରନୁଯାୟୀ, ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ଗ୍ରାମର ଦାମ ସାହୁଙ୍କ ଝିଅ ଜୟନ୍ତୀଙ୍କ ସହ ଜିଉରା ଗ୍ରାମର ନାରାୟଣଙ୍କ ସହ ଆଜକୁ ପ୍ରାୟ ୧୫ ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା । ବର୍ତ୍ତମାନ ଝିଅର ପରିବାର ଲୋକେ ମଧ୍ୟ ଜିଉରା ଗ୍ରାମରେ ରହି ଆସୁଛନ୍ତି । ତେବେ ଉଭୟ ଦମ୍ପତିଙ୍କ ୨ଟି ପୁଅ ଓ ୧ଟି ଝିଅ ରହିଥିବା ବେଳେ ନାରାୟଣ ବିଭିନ୍ନ ସମୟରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ଜୟନ୍ତୀକୁ ମାଡ ମାରୁଥିବା ଝିଅର ପରିବାର ଲୋକେ କହିଛନ୍ତି । ତେବେ ଶନିବାର ରାତିରେ ନାରାୟଣ ପ୍ରଚୁର ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ଜୟନ୍ତୀ ସହ କୌଣସି କାରଣରୁ ପାଟିତୁଣ୍ଡ କରିଥିଲା । ତେବେ ରବିବାର ସକାଳୁ ଘର ବାରିପଟରେ ରହିଥିବା ଅଲଡି ବାରିପଟରେ ଜୟନ୍ତୀଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଓ ଝିଅର ପରିବାର ସଦସ୍ୟ ଦେଖିବାକୁ ପାଇଥିଲେ ।
ଘଟଣାପରେ ଗ୍ରାମବାସୀ ନାରାୟଣଙ୍କୁ ବନ୍ଦୀ କରି ରଖିବା ସହ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୋଲିସ ପହଞ୍ଚି ଅଭିଯୁକ୍ତ ନାରାୟଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ତଦନ୍ତ ନିମନ୍ତେ ଅଧିକ ପଚରାଉଚରା ଜାରି ରଖିଛି । ଅନ୍ୟପକ୍ଷରେ ମୃତ ଜୟନ୍ତୀଙ୍କ ଭାଇ ଚେରୁଙ୍କ ଏତଲା କ୍ରମେ ପୋଲିସ ଥାନା କେସ୍ ନଂ ୪୫୮/୨୨ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅପରାହ୍ନରେ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ତେବେ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଥିବା ବେଳେ ତଣ୍ଟି ଚିପି ଶ୍ୱାସରୁଦ୍ଧ କରି ମାରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲ ଜଣାଇଛନ୍ତି ।
