ଅଲିମ୍ପିକ୍ସ: ଟୋକିଓରେ ପହଞ୍ଚିଲେ ପ୍ରଥମ ଦଫା ଭାରତୀୟ

ଟୋକିଓ: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ପ୍ରଥମ ଦଫା ଭାରତୀୟ ଆଥ୍‌ଲେଟ୍‌ ରବିବାର ସକାଳେ ଟୋକିଓରେ ପହଞ୍ଚିଛନ୍ତି। ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାର ଉଚ୍ଚ ଆଶା ନେଇ ଟୋକିଓ ପହଞ୍ଚିଥିବା ଏହି ଦଫାରେ ମୋଟ ୮୮ ଆଥ୍‌ଲେଟ୍‌ ସାମିଲ ଅଛନ୍ତି। ବିଶେଷକରି ତୀରନ୍ଦାଜ, ବ୍ୟାଡ୍‌ମିଣ୍ଟନ, ଟେବୁଲ ଟେନିସ୍‌, ହକି, ଜୁଡୋ, ଜିମ୍ନାଷ୍ଟିକ୍‌, ସନ୍ତରଣ ଓ ଭାରୋତ୍ତୋଳନ ଭଳି ୮ ଶୃଙ୍ଖଳରୁ ଆଥ୍‌ଲେଟ୍‌ ଓ ଅଧିକାରୀମାନେ ଏକ ଚାର୍ଟର୍ଡ ଏୟାର ଇଣ୍ଡିଆ ବିମାନରେ ନୂଆଦିଲ୍ଲୀରୁ ଯାଇ ଟୋକିଓରେ ଅବତରଣ କରିଛନ୍ତି। ଏହି ୮୮ ଜଣିଆ ଦଳରେ ସପୋର୍ଟ ଷ୍ଟାଫ୍‌ ଏବଂ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ପ୍ରତିନିଧିଙ୍କ ବ୍ୟତୀତ ୫୪ ଆଥ୍‌ଲେଟ୍‌ ରହିଛନ୍ତି। ଏଥର ଅଲିମ୍ପିକ୍ସ ପାଇଁ ପ୍ରଥମ ଦଫାରେ ଯାଇଥିବା ଆଥ୍‌ଲେଟ୍‌ଙ୍କ ମଧ୍ୟରେ ହକି (ଉଭୟ ପୁରୁଷ ଓ ମହିଳା)ରେ ସବୁଠୁ ଅଧିକ ପ୍ରତିନିଧିତ୍ବ ରହିଛି। ଟୋକିଓ ପହଞ୍ଚିବା ପରେ କୁରୋବେ ସିଟି ପ୍ରତିନିଧିମଣ୍ଡଳି ଭାରତୀୟ ଆଥ୍‌ଲେଟ୍‌ଙ୍କୁ ବିମାନ ବନ୍ଦରରେ ସ୍ବାଗତ ଜଣାଇଥିଲେ। ସେମାନେ ‘‘କୁରୋବେ ସ‌ପୋର୍ଟସ ଇଣ୍ଡିଆନ୍‌ ଆଥ୍‌ଲେଟ୍‌ସ!! #ଚିଅର୪ଇଣ୍ଡିଆ’’ ବ୍ୟାନର ଧରି ସ୍ବାଗତ କରିଥିଲେ।

ଶନିବାର ରାତିରେ ଦେଶ ଛାଡ଼ିବା ପୂର୍ବରୁ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଭାରତୀୟ ଦଳକୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ବିମାନ ବନ୍ଦରରେ ଟୋକିଓଗାମୀ ଆଥ୍‌ଲେଟ୍‌ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଆଥ୍‌ଲେଟଙ୍କ ପାଇଁ ରେଡ୍‌ କାର୍ପେଟ ବିଛା ଯାଇଥିଲା ଏବଂ ତା’ ଉପରେ ଆଥ୍‌ଲେଟ୍‌ମାନେ ଯାଉଥିବାର ମନୋରମ ଦୃଶ୍ୟର ସାକ୍ଷୀ ପାଲଟିଥିଲା ବିମାନ ବନ୍ଦର। ବିମାନ ବନ୍ଦରରେ ଆଥ୍‌ଲେଟ୍‌ମାନଙ୍କୁ ବିଦାୟକାଳୀନ ଉତ୍ସବ ଅବସରରେ ଠାକୁରଙ୍କ ବ୍ୟତୀତ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରମାଣିକ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ମହାସଚିବ ସନ୍ଦୀପ ପ୍ରଧାନ ଏବଂ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ନରିନ୍ଦର ବାତ୍ରା ଓ ମହାସଚିବ ରାଜୀବ ମେହେତାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ଏଥର ଅଲିମ୍ପିକ୍ସରେ ୧୧୯ (୬୭ ପୁରୁଷ ଓ ୫୨ ମହିଳା) ଆଥ୍‌ଲେଟ୍‌ଙ୍କ ସହିତ ମୋଟ ୨୨୮ ଜଣ ଭାରତରୁ ପ୍ରତିନିଧିତ୍ବ କରୁଛନ୍ତି। ରବିବାର ପ୍ରଥମ ଦଫା ଭାରତୀୟ ଟୋକିଓରେ ପହଞ୍ଚିବା ପୂର୍ବରୁ ଅନ୍ୟ ଦେଶରେ ପ୍ରଶିକ୍ଷଣ ଓ ପ୍ରସ୍ତୁତି ଚଳାଇଥିବା ଅନ୍ୟ କିଛି ଭାରତୀୟ ଆଥ୍‌ଲେଟ୍‌ ପହଞ୍ଚି ସାରିଛନ୍ତି। ସେମାନଙ୍କ ମଧ୍ୟରୁ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିବା ଏକମାତ୍ର ଭାରୋତ୍ତୋଳିକା ମୀରାବାଇ ଚାନୁ ତାଙ୍କ ପ୍ରଶିକ୍ଷଣ ସ୍ଥଳ ଆମେରିକାର ସେଣ୍ଟ୍‌ ଲୁଇସ୍‌ରୁ ଶୁକ୍ରବାର ଟୋକିଓରେ ପହଞ୍ଚିସାରିଥିଲା ବେଳେ ମୁଷ୍ଟିଯୁଦ୍ଧ ଓ ବନ୍ଧୁକଚାଳକମାନେ ଯଥାକ୍ରମେ ଇଟାଲି ଓ କ୍ରୋଏସିଆରୁ ଯାଇ ସେଠାରେ ପହଞ୍ଚି ସାରିଛନ୍ତି। ତେବେ ୪ ଜଣିଆ ପାଲଟଣା ନୌକା ଦଳ (ନେତ୍ର କୁମାରନ୍ ଓ ବିଷ୍ଣୁ ସର୍ବନନ୍, କେସି ଗଣପତି ଓ ବରୁଣ ଠକ୍କର) ପ୍ରଥମ ଭାରତୀୟ ଭାବେ ଟୋକିଓରେ ପାଦ ଥାପିଛନ୍ତି। ସେମାନେ ସେମାନଙ୍କ ପ୍ରଶିକ୍ଷଣ ସ୍ଥଳ ୟୁରୋପରୁ ଯାଇ ସେଠାରେ ପହଞ୍ଚିବା ପରେ ଗୁରୁବାରଠୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ସେହିପରି ନୌଚାଳନା ଦଳ ମଧ୍ୟ ଟୋକିଓରେ ପହଞ୍ଚିସାରିଛି। ବଜରଙ୍ଗ ପୂନିଆ ଓ ଭିନେଶ ଫୋଗଟଙ୍କ ନେତୃତ୍ବରେ କୁସ୍ତିଯୋଦ୍ଧା, ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା, ପଦକ ଆଶାୟୀ ଜାଭ୍‌ଲିନ୍‌ ଫିଙ୍ଗାଳି ନୀରୋଜ ଚୋପ୍ରାଙ୍କ ଭଳି ପ୍ରମୁଖ ଖେଳାଳିଙ୍କ ସହିତ ଅବଶିଷ୍ଟ ଆଥ୍‌ଲେଟ୍‌ମାନେ ଦ୍ବିତୀୟ ଦଫା‌ରେ ଟୋକିଓ ପହଞ୍ଚିବେ ବୋଲି ଆଇଓଏ ପକ୍ଷରୁ କୁହାଯାଇଛି।