ଆଜି ବିଶ୍ୱ ଐତିହ୍ୟ ଦିବସ

ଭୁବନେଶ୍ୱର, ୧୮/୦୪ : ଦେଶର ଅନେକ ଐତିହ୍ୟସ୍ଥଳ ରହିଛି ଯାହା କି ଅତୀତର କଳା, ସଂସ୍କୃତିର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇଛି। ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ବିଶ୍ବ ଐତିହ୍ୟ ଦିବସ ରୂପେ ପାଳନ କରାଯାଇଥାଏ। ପ୍ରତିବର୍ଷ ଏକ ଥିମ୍ ଆଧାରରେ ବିଶ୍ବ ଐତିହ୍ୟ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ଥିମ ରହିଛି “ଦ୍ୱନ୍ଦ୍ୱ ଏବଂ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଜୀବନ୍ତ ଐତିହ୍ୟ ପାଇଁ ଜରୁରୀକାଳୀନ ପ୍ରତିକ୍ରିୟା”।

୧୯୮୨ ମସିହା ଏପ୍ରିଲ ୧୮ ତାରିଖରେ ସର୍ବପ୍ରଥମେ ବିଶ୍ବ ଐତିହ୍ୟ ଦିବସ ଟ୍ୟୁନିସିଆରେ ଇଣ୍ଟର ନ୍ୟାସନାଲ କାଉନସିଲସ ଅଫ ମନ୍ୟୁମେଣ୍ଟସ ଆଣ୍ଡ ସାଇଟସ ଦ୍ବାରା ପାଳନ କରାଯାଇଥିଲା । ଏହାପରେ ବିଧିବଦ୍ଧ ଭାବେ ୧୯୮୩ ଠାରୁ ପ୍ରତିବର୍ଷ ଏପ୍ରିଲ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସ୍ମାରକୀ ଏବଂ ଐତିହାସିକ ସ୍ଥାନଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସାଧାରଣ ଲୋକଙ୍କୁ ସେମାନଙ୍କୁ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଉତ୍ସାହିତ କରିବା।

ବର୍ତ୍ତମାନ ଭାରତରେ ଅନେକ ଐତିହ୍ୟସ୍ଥଳୀ ରହିଛି ଯାହାକୁ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ବ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଉପରେ ରହିଛି। ଗତବର୍ଷ ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଅନୁସାରେ ଆମର ଅନେକ ଐତିହ୍ୟସ୍ଥଳୀ ଗୁଡିକ ନିଖୋଜ ହୋଇଯାଇଛି। ଭାରତର ସ୍ମାରକୀ ଯୁଦ୍ଧ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। କଳାକୃତି ଏବଂ ପ୍ରତୀକଗୁଡ଼ିକ ଲୁଟ୍ ହୋଇଛି । କେତେକ କ୍ଷେତ୍ରରେ ସାଂସ୍କୃତିକ ସ୍ଥାନ ଏବଂ ବସ୍ତୁଗୁଡିକ ମଧ୍ୟ ଜାଣିଶୁଣି ଟାର୍ଗେଟ କରାଯାଇ ନଷ୍ଟ କରାଯାଇଛି। ଯେଉଁଥିପାଇଁ ଏହି ଦିବସ ପାଳନ କରାଯାଉଛି ସମସ୍ତଙ୍କ ମଧ୍ୟରେ ସଚେଏତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ।