ପାକିସ୍ତାନରେ ଟ୍ରେନ୍‌ ଦୁର୍ଘଟଣା: ୩୦ ମୃତ

ଇସ୍‌ଲାମାବାଦ: ସୋମବାର ଦିନ ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଅନ୍ତର୍ଗତ ଘୋତକି ଜିଲ୍ଲାରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ ପରସ୍ପର ଉପରେ ଧକ୍କା ଖାଇବାରୁ ଅନ୍ୟୂନ ୩୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ କେତେକ ଆହତ ହୋଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଲାହୋରରୁ କରାଚି ଅଭିମୁଖେ ଯାତ୍ରା କରୁଥିବା ସାର୍‌ ସୟେଦ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କା ଦେବାରୁ କରାଚିରୁ ସାର୍ଗୋଧା ଆସୁଥିବା ମିଲତ୍ ଏକ୍ସପ୍ରେସ୍‌ ଧାରଣାଚ୍ୟୁତ ହୋଇଗଲା। ଫଳତଃ ମିଲତ୍ ଏକ୍ସପ୍ରେସ୍‌ର ବଗି ସବୁ ଓଲଟି ପଡ଼ିଲା।

ଘୋତକି ଡେପୁଟି କମିସନର୍ ଉସ୍‌ମାନ୍‌ ଅବ୍ଦୁଲ୍ଲା କହିଛନ୍ତି, ଅନ୍ୟୂନ ୩୦ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରେନ୍‌ର ବଗିମାନଙ୍କରେ ଏବେ ମଧ୍ୟ ଅନେକ ଯାତ୍ରୀ ଫସି ରହିଛନ୍ତି। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ହଠାତ୍‌ ଜଣାପଡ଼ିନାହିଁ।