ପ୍ରେମ ପାଇଁ ପାଗଳ : ପ୍ରେମିକାକୁ ଦେଖିବା ଲାଗି କ୍ୱାରେଣ୍ଟାଇନ ସେଣ୍ଟରରୁ ପଳାଇଲେ ଦୁଇ ଯୁବକ

ନୂଆଦିଲ୍ଲୀ,୧୪/୬: ସଂଗରୋଧ କେନ୍ଦ୍ର ଗୁଡ଼ିକରେ ଅଜବ ଘଟଣା ଗୁଡ଼ିକ ଦେଖିବାକୁ ମିଳୁଛି । କେଉଁଠି ନାଚୁଥିବା ଭିଡିଓ ଭାଇରାଲ ହେଉଛି ତ ଆଉ କେଉଁଠି ପ୍ରବାସୀମାନେ କ୍ରିକେଟ ଖେଳୁଥିବା ଦୃଷ୍ଟିଗୋଚର ହେଉଛି । କିନ୍ତୁ ମଣିପୁରର ତାମେଙ୍ଗଲଙ୍ଗରେ ଏକ ସଂଗରୋଧ କେନ୍ଦ୍ରରୁ ୨ ଜଣ ଯୁବକ ଫେରାର ହୋଇ ପ୍ରେମିକାକୁ ଭେଟିଛନ୍ତି । ଉଭୟ ଯୁବକ କିଛି ସମୟ ପ୍ରେମିକାସାଥିରେ କଥାବାର୍ତା ହେବାପରେ ସଙ୍ଗରୋଧ କେନ୍ଦ୍ରକୁ ଫେରିଆସିଛନ୍ତି । ହେଲେ ସେମାନେ ଯେତେବେଳେ ପୁଣି ଥରେ ସଙ୍ଗରୋଧ କେନ୍ଦ୍ରକୁ ଫେରିଛନ୍ତି, ସାଥିରେ ନେଇ ଆସିଛନ୍ତି ନିଶାଦ୍ରବ୍ୟ ।

ଯେତେବେଳେ ବାଇକରେ ଫେରିଲେ, ସାଥୀରେ ୮ଲିଟର ଦେଶୀ ମଦ, ଚାରି ପ୍ୟାକେଟ ଗଂଜେଇ ଓ ସିଗାରେଟ ନେଇ ଆସିଥିଲେ । ଜିଲ୍ଲାପାଳ ଆର୍ମଷ୍ଟ୍ରଙ୍ଗ କହିଛନ୍ତି, ତାଙ୍କୁ ଓ ତାଙ୍କର ଟିମ ବୁଝିପାରୁ ନାହାନ୍ତି ଯେ, ଏଭଳି ଠକ ପ୍ରବୃତ୍ତିର ଲୋକଙ୍କୁ କ’ଣ କରାଯାଇ ପାରିବ । ଜିଲ୍ଲାପ୍ରଶାସନ ଏମାନଙ୍କୁ ଜେଲ ପଠାଇବା ପାଇଁ ଯୋଜନା କରିଥିବା ବେଳେ କରୋନା ଭାଇରସ ଭୟରେ ପୁଣି ନିଷ୍ପତ୍ତି ବଦଳାଇଥିଲା ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ସଂଗରୋଧ କେନ୍ଦ୍ରରେ ଅଧିକାରୀମାନେ ଲୋକେ ମଦ ପିଇବା ଓ ସିଗାରେଟ ପିଇବା ଦେଖିଲେ, ଦୁଇ ଜଣ ଯୁବକ ବାହାରକୁ ଯାଇ ଏହା ନେଇ ଫେରିଥିବା ଘଟଣା ଜଣାପଡ଼ିବା ପରେ ଡେପୁଟି କମିଶନର ନିଜର ଫେସବୁକରେ ପୋଷ୍ଟ କରିଛନ୍ତି ।