ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ଜଣେ ମୃତ

ଭୁବନେଶ୍ୱର, ୨୭/୧୧ : ବାଲିଯାତ୍ରା ପଡ଼ିଆରେ ଏକ ବଡ଼ ଅଘଟଣ ଘଟିଛି। ରାମଦୋଳି ଉପରୁ ଦୁଇଜଣ ଯୁବକ ତଳକୁ ଖସିପଡ଼ିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ତଳ ବାଲିଯାତ୍ରା ପଡ଼ିଆର ‘କଟକ ଇନ୍‌ କଟକ’ ନିକଟରେ ବାସୁଦେବ ନାମକ ଏକ ଦୋଳି ସଂସ୍ଥା ପକ୍ଷରୁ ରାମଦୋଳି ପଡ଼ିଛି। ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଦୁଇ ଜଣ ଯୁବକ ଦୋଳିରେ ଚଢ଼ିଥିଲେ। କୌଣସି କାରଣରୁ ଉଭୟ ଦୋଳିରୁ ଖସିପଡ଼ିଥିଲେ। ଘଟଣା ଜଣାପଡ଼ିବା ପରେ ବାଲିଯାତ୍ରା ପଡ଼ିଆରେ ମୁତୟନ ଅଗ୍ନିଶମ ଟିମ୍‌ ଓ ଜୋନ୍‌ ଏସିପି ଗିରିଜା ଚକ୍ରବର୍ତ୍ତୀ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଆହତ ଦୁଇ ଯୁବକଙ୍କୁ ଆମ୍ବୁଲାନ୍ସରେ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। ତେବେ ଟ୍ରମା କାଜୁଆଲିଟିରେ ପହଞ୍ଚିବା ପୂର୍ବରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଦୋଳିରୁ ଦୁଇଜଣ କିପରି ଖସିପଡ଼ିଲେ, ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।