ଡେରାଡୁନ,୨୦/୧୦ : ଉତ୍ତରାଖଣ୍ଡରେ ଲଗାତାର ୩ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଅକ୍ଟୋବର ୧୭ ରୁ ଅକ୍ଟୋବର ୧୯ ତିନି ଦିନ ମଧ୍ୟରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଅକ୍ଟୋବର ୧୭ ରେ ଚମ୍ପାୱାଟରେ ଜଣେ, ଅକ୍ଟୋବର ୧୮ ରେ ପୌରୀରେ ଚମ୍ପୱାଟ ଏବଂ ପିଥୋରାଗଡରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଅକ୍ଟୋବର ୧୯ରେ ନୈନିତାଲ , ଆଲମୋରା, ଚମ୍ପୱାଟ, ଉଦାମ ସିଂ ନାଗର, ଚାମୋଲି ଏବଂ ବାଗେଶ୍ୱରରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅକ୍ଟୋବର ୧୯ ନୈନିତାଲରେ ସର୍ବାଧିକ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଉତ୍ତରାଖଣ୍ଡରେ ସ୍ଥିତି ଆକାଶ ମାର୍ଗରୁ ସମୀକ୍ଷା କରିବେ। ପ୍ରବଳ ବର୍ଷା ହେତୁ ଗତକାଲି ଅବରୋଧ ହୋଇଥିବା ନୈନିତାଲ -କାଲାଡୁଙ୍ଗି ରାସ୍ତାପୁନଃ ଖୋଲାଯାଇଛି। ବର୍ତ୍ତମାନ ଟ୍ରାଫିକ ସ୍ୱଭାବିକ ମଧ୍ୟ ହେଉଛି ବୋଲି ଡିଜିପି ଅଶୋକ କୁମାର କହିଛନ୍ତି।
ଏହି ଅଞ୍ଚଳରେ ଲଗାତାର ବର୍ଷା ହେତୁ ବନ୍ଦ ହୋଇଯାଇଥିବା ‘ଚାର୍ ଧାମ ଯାତ୍ରା’ ବୁଧବାର ଠାରୁ ଆରମ୍ଭ ହେବ ବୋଲି ରାଜ୍ୟ ପୁଲିସ ସୂଚନା ଦେଇଛନ୍ତି। ମଙ୍ଗଳବାର ନୈନିତାଲରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମୀକ୍ଷା ବୈଠକରେ ଯୋଗଦେବା ପରେ ପୁଲିସର ମହାନିର୍ଦ୍ଦେଶକ ଅଶୋକ କୁମାରଙ୍କୁ କହିଛନ୍ତି, “ଗରହୱାଲରେ ବର୍ଷା ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଯାତାୟାତ ସ୍ୱଭାବିକ ସହ ସେଠାରେ ‘ଚାର୍ ଧାମ ଯାତ୍ରା’ ମଧ୍ୟ ଆରମ୍ଭ ହୋଇଛି। ବଦ୍ରିନାଥ ଅର୍ଥାତ୍ ଜୋସିମାଥରୁ ବଦ୍ରିନାଥ ଖୋଲାଯାଇଛି ଏବଂ ଆସନ୍ତାକାଲି ‘ଚାର୍ ଧାମ ଯାତ୍ରା’ ସମ୍ପୂର୍ଣ୍ଣ ରୂପେ ପୁନଃ ଖୋଲା ଯିବ।