ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ

ନୂଆଦିଲ୍ଲୀ,୨୧/୯: ଆଜି ମଧ୍ୟାହ୍ନରେ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ଓଡ଼ିଶାର ବିଜେପୁର ଉପନିର୍ବାଚନପାଇଁ ତାରିଖ ଘୋଷଣା କରାଯାଇଛି। ଆଗାମୀ ଅକ୍ଟୋବର ୨୧ ତାରିଖରେ ବରଗଡ଼ ଜିଲ୍ଲାର ବିଜେପୁରରେ ଉପନିର୍ବାଚନ ହେବ ବୋଲି ଜଣାଯାଇଛି। ଏଠାରେ ଅକ୍ଟୋବର ୨୪ ତାରିଖରେ ଭୋଟ ଗଣତି ହେବ ବୋଲି ଘୋଷଣା କରାଯାଇଛି। ନାମାଙ୍କନର ଶେଷ ତାରିଖ ୩୦ ସେପ୍ଟେମ୍ବର ଥିବା ବେଳେ ନାମାଙ୍କନ ଯାଞ୍ଚର ତାରିଖ ୧ ଅକ୍ଟୋବର ରହିଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏହି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହେବାପରେ ସେହି ଆସନରୁ ଇସ୍ତଫା ଦେବ ହେତୁ ବିଜେପୁରରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଘୋଷଣା ଅନୁଯାୟୀ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯିବ। ଅକ୍ଟୋବର ୨୪ ତାରିଖରେ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଭୋଟ ଗଣତି ହେବ।ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମଗ୍ର ବରଗଡ଼ ଜିଲ୍ଲାରେ ତକ୍ରାଳ ପ୍ରଭାବରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି ଆଚରଣ ବିଧି ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଅର୍ଥାତ୍ ଅକ୍ଟୋବର ୨୭ତାରିଖ ଯାଏ ବଳବତ୍ତର ରହିବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।