ଭୁବନେଶ୍ୱର, ୨୯/୦୭ : ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ୫ ଘଣ୍ଟା ଜଗା ଦର୍ଶନ ବନ୍ଦ । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କର ବନକଲାଗି ନୀତି ସଂପନ୍ନ କରିବେ । ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ । ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି । ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।
