ପୁରୀ, ୨୬/୧୨: ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ଦର ତାଲିକା ଲଗାଯିବ। ଫଳରେ ଶ୍ରଦ୍ଧାଳୁମାନେ ଚାର୍ଟ ଦେଖି ସଠିକ୍ ମୂଲ୍ୟରେ ଅବଢ଼ା କିଣିପାରିବେ। ଟାର୍ଟରେ ଅବଢ଼ା ଦର ସହ ସୁବିଧା ପାଇଁ କୁଡୁଆ ସାଇଜ୍ ବି ଉଲ୍ଲେଖ କରାଯିବ। ଏତଦବ୍ୟତିତ ନବବର୍ଷରୁ ଶ୍ରୀମନ୍ଦିରରେ ଟିକେଟ୍ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ତେବେ କେବେଠାରୁ ଉକ୍ତ ବ୍ୟବସ୍ଥା ଆରମ୍ଭ କରାଯିବ ନିର୍ଦ୍ଧାରିତ ତାରିଖ ଜଣାପଡ଼ିନାହିଁ।
ଶ୍ରୀମନ୍ଦିରରେ ନୂଆବର୍ଷରୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ଅବଢ଼ା ଦର ତାଲିକା ଲଗାଯିବ। ସୁଆର ଓ ମହାସୁଆର ନିଯୋଗ ସହ ଆଲୋଚନା ପରେ ଏହି ତାଲିକା ଲଗାଯିବ। ତାଲିକାରେ ପରିମାଣ ତଥା କୁଡୁଆ ସାଇଜ ଉଲ୍ଲେଖ କରାଯିବ। ଏଥିରୁ ସେବାୟତ କେତେ ଅଂଶ ପାଇବେ ସେ ସମ୍ପର୍କରେ ପରିଚାଳନା କମିଟି ଚୂଡ଼ାନ୍ତ କରିବ। ସେହିପରି ନୂଆବର୍ଷରୁ ଟିକେଟ୍ ଦର୍ଶନ ମଧ୍ୟ ଆରମ୍ଭ କରାଯିବ। ଟିକେଟ୍ ଦର୍ଶନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି ଆଜି ନୂଆବର୍ଷ ପାଇଁ ପ୍ରସ୍ତୁତି ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।
ଅନ୍ୟପକ୍ଷରେ ନୂଆବର୍ଷ ପାଇଁ ଶ୍ରୀଜୀଉଙ୍କ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନବବର୍ଷରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।