ଭାତରେ ପାଣି ମିଶାଇ ପ୍ରସ୍ତୁତ କରାଯାଇଥିବା ଖାଦ୍ୟକୁ ପଖାଳ କୁହାଯାଏ । ଏହା ଏକ ନିତିଦିନିଆ ସୁପ୍ ଯାହା ସ୍ୱାସ୍ଥ୍ୟକର ଓଡ଼ିଆ ଖାଦ୍ୟ ରୂପେ ବେଶ୍ ପରିଚିତ । ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ କରାଯାଉଥିବା ଛପନ ଭୋଗ ମଧ୍ୟରେ ଏହା ଅନ୍ତର୍ଭୁକ୍ତ । ଖରାଦିନେ ଦେହରେ ତାପମାତ୍ରା ନିୟନ୍ତ୍ରଣ ରଖିବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଏହା ଏକ ଉପାଦେୟ ଖାଦ୍ୟ । ପାଣିଯୁକ୍ତ ଏହି ଭାତକୁ ପଖାଳ କୁହାଯାଏ ଏବଂ ଏହାର ପାଣିକୁ ତୋରାଣି । ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଇତ୍ୟାଦି ସ୍ଥାନରେ ଏହାକୁ ଖାଇବାକୁ ଲୋକମାନେ ବେଶ୍ ପସନ୍ଦ କରିଥାନ୍ତି । ବିଭିନ୍ନ ସ୍ଥାନରେ ଏହି ପଖାଳକୁ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଥାଏ । ଆସାମରେ ଏହାକୁ ପୋଇତା ଭାତ, ପଶ୍ଚିମବଙ୍ଗରେ ପାନ୍ତା ଭାତ ଓ ଛତିଶଗଡ଼ରେ ପଖାଳ ବା ବୋରେ ଭାତ କୁହାଯାଏ । ତାମିଲ୍ନାଡ଼ୁରେ ଦଖାଳ ବାଥନାମରେ ଜଣାଯାଏ । ତାମିଲ୍ନାଡ଼ୁରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ପଖାଳକୁ ପରଶା ଯାଇଥାଏ । ପଖାଳ ଓଡ଼ିଆ ଶଦ୍ଦ ‘ପଖାଳିବା/ ପଖାଳିତ’ରୁ ଆସିଛି ଯାହାର ଅର୍ଥ ଧୋଇବା, ଭାତକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ନାମ ଏମିତି ହୋଇଛି । ଏହି ପାଖଳ ଅନେକ ପ୍ରକାରର ଯେପରି ସଜ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ, ବାଇଁ ପଖାଳ ବା ଗରମ ପଖାଳ, ଟଭା ପଖାଳ, ଅଦା ପଖାଳ, କାକୁଡ଼ିକୋରା ପଖାଳ, ବଡି ପଖାଳ ।