ମୁଖ୍ୟମନ୍ତ୍ରୀଙ୍କ ୯ ପ୍ରଶ୍ନର ଜବାବ ଦେଲେ ଧର୍ମେନ୍ଦ୍ର

0

ଭୁବନେଶ୍ୱର, ୨୬/୧୨: ବିଜେଡ଼ି ଶାସନର ୧୯ ବର୍ଷରେ ବି ଚାଷୀ ପାଣି ମୁନ୍ଦାଏ ପାଉ ନାହିଁ । ଲୋକେ ପିଇବା ପାଣି ପାଉ ନାହାଁନ୍ତି । ରାଜ୍ୟର ଡାକ୍ତର ଖାନାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି । ରାଜ୍ୟର ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ମହିଳାମାନଙ୍କୁ ସୁରକ୍ଷା ଦେଇ ପାରୁନାହାଁନ୍ତି ରାଜ୍ୟ ସରକାର । ସେହି ସରକାରୀ ଦଳର କୁହାଳିଆ ନେତା କହୁଛନ୍ତି ଆମକୁ କାହିଁକି ପ୍ରଧାନମନ୍ତ୍ରୀ ପ୍ରଶ୍ନ ପଚାରୁଛନ୍ତି । ଏହା ତାଙ୍କର ମନର ଅହଂକାର । କିନ୍ତୁ ଆଜି ସେହି କୁହାଳିଆ ନେତାଙ୍କୁ ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆ ମାଗିବେ ଜବାବ । ଆଜି ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିଜେପି ଯୁବ ମୋର୍ଚ୍ଚାର ‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନର ଶୁଭାରମ୍ଭ ଅବସରରେ ନବୀନ ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସହିତ ବିଜେଡ଼ି ପ୍ରତିଷ୍ଠା ଦିବସରେ ବିଜେପିକୁ ୯ଟି ପ୍ରଶ୍ନ ପଚାରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ତାଙ୍କରି ଢ଼ଙ୍ଗରେ ଉତ୍ତର ମଧ୍ୟ ଫେରାଇ ଦେଇଛନ୍ତି ଧର୍ମେନ୍ଦ୍ର । ସେହିପରି ପ୍ରଧାନମନ୍ତ୍ରୀ ପଚାରିଥିବା ପିସିଖିଆ ଦାନବଙ୍କୁ କିଏ ଦାନପାଣି ଦେଉଛି ପ୍ରଶ୍ନକୁ ଦୋହରାଇଛନ୍ତି ।

ନିର୍ବାଚନୀ ଇସ୍ତାହାର ଦେଇଥିବା ପ୍ରତିଶ୍ରୁତିକୁ ବିଜେଡ଼ି ସରକାର ୧୯ ବର୍ଷରେ ପୂରଣ କରିବାରେ ଅସଫଳ ରହିଛନ୍ତି । କେନ୍ଦ୍ରୀୟ ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀ ପଚାରିଥିବା ପ୍ରଶ୍ନର ସେ ଜବାବ ରଖିଛନ୍ତି । ଧର୍ମେନ୍ଦ୍ର ନବୀନଙ୍କୁ ଧନ୍ୟବାଦ କହି ଉତ୍ତର ଦେଇଛନ୍ତି ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ କେତେ ଜାଗା ଅଧିଗ୍ରହଣ ଦେଇଛନ୍ତି ତାହାର ହିସାବ ମାଗିଛନ୍ତି । ଦୁଇ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି । ତାଳଚେର-ବିମଳାଗଡ଼ ରେଳଲାଇନରେ ଅସହଯୋଗ ରହିଥିବାବଳେ ପାରଦ୍ୱୀପ-ହରିଦାସ ରେଳପଥ ପାଇଁ ଆପଣଙ୍କ ଚେଲାମାନେ ଚାନ୍ଦା ଆଦାୟ କରି ପ୍ରକଳ୍ପ କାର୍ଯ୍ୟ କରାଇ ଦେଉ ନାହାଁନ୍ତି । ସେହିପରି କନ୍ଧମାଳ, ବୌଦ୍ଧ ଓ ସୋନପୁରରେ କେତେ ଏକର ପୂର୍ଣ୍ଣାଙ୍ଗ ଜମି ଦେଇଛନ୍ତି ତାହାର ଉତ୍ତର ଦିଅନ୍ତୁ । ସେହିପରି ମହିଳାଙ୍କୁ ନେଇ ରାଜନୀତି ଆରମ୍ଭ କରିଥିବା ବିଜେଡ଼ି ସରକାର ନିଜ ମନ୍ତ୍ରୀ ମଣ୍ଡଳରେ କେତେ ଜଣ ମହିଳାଙ୍କୁ ସ୍ଥାନ ଦେଇଛନ୍ତି । ମହିଳାମାନଙ୍କୁ ଯିଏ ସମ୍ମାନ ସହକାରରେ ବଂଚିବାକୁ ବ୍ୟବସ୍ଥା କରେ ନାହିଁ ସିଏ ମହିଳାଙ୍କ ସଂରକ୍ଷଣ କଥା କହୁଛନ୍ତି । ଆଜି ସ୍ୱର୍ଗରେ ଥାଇ କୁନ୍ଦୁଲି ପିଡ଼ୀତା ନ୍ୟାୟ ପାଇଁ କାନ୍ଦୁଛି ।

ସେହିପରି ବିଗତ ୨ ମାସ ଭିତରେ ତେଲ ଦର ୨୦ଟଙ୍କା କମିଲାଣି କିନ୍ତୁ ରାଜ୍ୟ ସରକାର ଟିକସ କମାଉ ନ ଥିବାରୁ ରାଜ୍ୟରେ ତୈଳ ଦର କମୁନାହିଁ । ଅନ୍ୟ ରାଜ୍ୟରେ ୨୦ରୁ ୨୫ ଟଙ୍କା କମିଛି । ପେଟ୍ରୋଲ ଡିଜେଲ ବଢ଼ିବାର କାରଣ ନିଜେ ଖୋଜନ୍ତୁ ମୁଖ୍ୟମନ୍ତ୍ରୀ । ଧାନ କ୍ୱିଣ୍ଟାଲ ପିଛା ୧୫୫୦ରୁ ୧୭୫୦ ଟଙ୍କା କରିଛନ୍ତି କେନ୍ଦ୍ର ସରକାର। ମାତ୍ର ଏଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ବାଚନୀ ପାଣ୍ଠି ସଂଗ୍ରହ କରିଯାଉଛି । ଚାଷୀମାନେ ମିଲରଙ୍କୁ ୫୦୦ ରୁ ୭୦୦ ଟଙ୍କାରେ ଧାନ ବିକ୍ରି କରୁଛନ୍ତି। ଏହାର ଜବାବ ଦରକାର। ୩୫ ଲକ୍ଷ ଘରେ ଉଜ୍ଜଳା ଯୋଜନା ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନିଜର ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗଲେ ଉଜ୍ଜଳା ଯୋଜନା ସଫଳତାର ପ୍ରମାଣ ମିଳିବ ।

ସେହିପରି ଓଡ଼ିଶାର ଜନତାଙ୍କୁ ଆହ୍ୱାନ କରି କହିଛନ୍ତି, ଆଜି ଶୁଭାରମ୍ଭ ହୋଇଥିବା ଆପ୍ ଏବଂ ୯୫୫୨୨୭୨୨୭ ଟୋଲ ଫ୍ରି ନମ୍ବର ମାଧ୍ୟମରେ ଓଡ଼ିଶାବାସୀ ନବୀନ ବାବୁଙ୍କୁ ଜବାବ ମାଗନ୍ତୁ। ପଚରାଯାଇଥିବା ପ୍ରଶ୍ନ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଯିବ। ସବୁ ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ରଖିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.