ଅଯୋଧ୍ୟା ରାୟ ପୂର୍ବରୁ ୟୁପି ଡିଜିପି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ସିଜେଆଇ

ନୂଆଦିଲ୍ଲୀ,୮/୧୧: ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଶୁକ୍ରବାର ଡୁତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବ ଏବଂ ଡାଇରେକ୍ଟ ଜେନେରାଲ ପୁଲିସ୍‌ଙ୍କ ସହ ବୈଠକ କରିଛନ୍ତି। ଆସନ୍ତା ସପ୍ତାହରେ ରାଜନୀତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ମାମଲାର ରାୟ ଆସିବା ଆଗରୁ ସେ ସୁରକ୍ଷା ବ୍ୟବସ୍ଥା ବାବଦରେ ସୀମକ୍ଷା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସିଜେଆଇଙ୍କ ଚାମ୍ବରରେ ଏହି ବୈଠକ ଆୟୋଜିତ ହୋଇଥିଲା। ପ୍ରାୟ ୧ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏଥିରେ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ଏବଂ ଡିଜିପି ଓମ୍‌ ପ୍ରକାଶ ସିଂହ ସିଜେଆଇଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ବାବଦରେ କହିଥିଲେ।

ସୂଚନାଯୋଗ୍ୟ ଯେ, ଅଯୋଧ୍ୟା ରାମଜନ୍ମଭୂମି ଏବଂ ବାବ୍ରି ମସ୍‌ଜିଦ୍‌ ବିବାଦର ଶୁଣାଣି ଗତ ଅକ୍ଟୋବର ୧୬ରେ ସରିଥିବାବେଳେ ରାୟ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ୪୦ ଦିନର ମାରାଥନ୍‌ ଶୁଣାଣି ଚାଲୁ ରହିଥିଲା। ନଭେମ୍ବର ୧୭ରେ ସିଜେଆଇ ଜଷ୍ଟିସ୍‌ ଗୋଗୋଇ ଅବସର ନେବାର ଥିବାରୁ ଏହା ପୂର୍ବରୁ ରାୟ ଆସିବାର ଅଛି।