ଆଜିଠୁ ଲକ୍ ଡାଉନ୍ ୩.୦ : କଣ୍ କଟକଣା କୋହଳ ହୋଇଛି ଜାଣନ୍ତୁ

ଭୁବନେଶ୍ୱର,୪/୫: ଆଜିଠୁ କରୋନା ମିକବିଲା ପାଇଁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଲାଗୁ ହୋଇଥିବା କଟକଣାକୁ ଏହି ପର୍ଯ୍ୟାୟରେ ସାମାନ୍ୟ କୋହଳ କରାଯାଇଛି।

ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ହୋଇଛି । ଆସନ୍ତା ମେ’୧୭ ଯାଏ ଏହି ଲକ୍‌ ଡାଉନ୍‌ ବୃଦ୍ଧି ହୋଇଛି । ଏହି ଲକ୍ ଡାଉନ୍ ସମୟରେ କଣ୍ ଖୋଲା ରହିବ ଓ କଣ୍ ବନ୍ଦ୍ ରହିବ ।

ଅଧିକ କରୋନା ସଂକ୍ରମଣ ସ୍ଥାନ ଥିବାରୁ ଜୋନ୍‌ରେ ପୂର୍ବପରି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ, ସାମାନ୍ୟ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି।

ଅରେଞ୍ଜ ଜୋନ୍‌ରେ କିଛି ଦୋକାନ ଖୋଲିବ । ସାମାଜିକ ଦୂରତାକୁ ଦୃଷ୍ଟିରେ ରଖିବା ଆବଶ୍ୟକ । ଟାକ୍ସି ଓ ଅନ୍‌ଲାଇନ୍‌ ଓଲା ଉବର୍ କ୍ୟାବ୍ ସେବା ପାଇଁ ଅନୁମତି ମିଳିଛି। ତେବେ କ୍ୟାବ୍‌ରେ ଡ୍ରାଇଭରଙ୍କ ସମେତ ୨ଜଣ ଯାତ୍ରୀ ଯିବା ପାଇଁ ଅନୁମତି ଦିଆଯାଇଛି। ଚାରି ଚକିଆ ଗାଡ଼ିରେ ବି ଡ୍ରାଇଭରଙ୍କୁ ଛାଡ଼ି ୨ଜଣ ଯାତ୍ରୀ ଯାତ୍ରା କରିପାରିବେ। ସେହିପରି ୨ ଚକିଆ ଯାନରେ ଚାଳକଙ୍କ ସହ ଆଉ ଜଣେ ଯାଇ ପାରିବେ। ତେବେ ବିମାନ, ରେଳ ଓ ବସ୍ ଚଳାଚଳ ଉପରେ କଟକଣା ଲାଗିଛି। ଅରେଞ୍ଜ ଜୋନ୍‌ରେ ସ୍ପା, ସେଲୁନ ଖୋଲିବ। ଯଦି ଆବଶ୍ୟକୀୟ ଥିଲେ ଆନ୍ତଃଜିଲ୍ଲାକୁ ମଧ୍ୟ ଯାତାୟାତ କରି ହେବ। କିନ୍ତୁ ପାସ୍ ଥିବା ଆବଶ୍ୟକ ।

ତେବେ ଗ୍ରୀନ୍‌ ଜୋନ୍‌ରେ ଅନେକ କଟକଣା କୋହଳ ହୋଇଛି ।କିନ୍ତୁ ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଜିଲ୍ଲା ଭିତରେ କିମ୍ବା ଜିଲ୍ଲା ବାହାରକୁ ବି ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପୂର୍ବରୁ କେନ୍ଦ୍ରର ଗାଇଡ୍‌ଲାଇନ୍‌ ଅନୁସାରେ ୫୦ ପ୍ରତିଶତ ଯାତ୍ରୀ ସହ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ବନ୍ଦ୍ କରିଛନ୍ତି। ତେବେ ଗ୍ରୀନ ଜୋନରେ ସମସ୍ତ ପ୍ରକାର ଦୋକାନ ଖୋଲିବା ଉପରେ ଅନୁମତି ମିଳିଛି ।
୩ ଟି ଜୋନରେ ରେଷ୍ଟୁରାଣ୍ଟ, ସିନେମା ହଲ୍, ଶିକ୍ଷାନୁଷ୍ଠାନ, ସପିଂ ମଲ୍, ଜିମ, ସାମାଜିକ ତଥା ଧାର୍ମିକ କାର୍ଯ୍ୟ ଆଦି ପୂର୍ବଭଳି ବନ୍ଦ୍ ରହିବ।