ଜାମ୍ମୁ-କାଶ୍ମୀର, ୨୭/୧୧ : ଜାମ୍ମୁ-କାଶ୍ମୀରର କୁଲଗାମ ଏବଂ ପୁଲୱାମା ଜିଲ୍ଲାରେ ମଙ୍ଗଳବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । କୁଲଗାମରରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନ୍ୟପକ୍ଷରେ ଏହି ଗୁଳିବିନିମୟରେ ସେନାର ଜଣେ ଯବାନ ମଧ୍ୟ ସହୀଦ ହୋଇଥିବା ସୁଚନା ମିଳିଛି । କୁଲଗାମ ଜିଲ୍ଲାର ରେଡୱାନୀଗ୍ରାମର ଏକ ଘରେ କିଛି ଆତଙ୍କବାଦୀ ଲୁଚିରହିଥିବା ଖବର ପାଇ ସେନାର ଯବାନ, ପୋଲିସ ଏବଂ ସିଆରପିଏଫ ଯବାନମାନେ ମିଳିତ କମ୍ବିଂ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଜବାବରେ ପୋଲିସ ପାଲଟା ଗୁଳିଚାଳନା କରିଥିଲା । ଦୀର୍ଘ ୫ ଘଣ୍ଟା ଧରି ପୋଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଆତଙ୍କବାଦୀଙ୍କ ଗୁଳିରେ ସେନାର ଜଣେ ଯବାନ ମଧ୍ୟ ସହୀଦ ହୋଇଥିବା ସୁଚନା ମିଳିଛି । ଏହା ବ୍ୟତୀତ ସୁରକ୍ଷାକର୍ମୀମାନେ ପୁଲୱାମାର ତ୍ରାଲ ଅଞ୍ଚଳରେ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ଅଲଗା ଅଲଗା ଅପରେଶନ ଜାରୀ ରଖିଛନ୍ତି । ପୁଲୱାମା ଜିଲ୍ଲାର ହାଫୁ ଗ୍ରାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳରେ ଘେରାବନ୍ଦୀ କରିଥିଲେ । ଭୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ପରେ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ । ତେବେ ବର୍ତ୍ତମାନ ସେଠାରେ ଗୁଳିବିନିମୟ ଜାରୀ ରହିଥିବା ସୂଚନା ମିଳିଛି । ଶୁକ୍ରବାର ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ଆତଙ୍କବାଦୀମାନଙ୍କୁ ବଡ ଧରଣର ଝଟକା ମିଳିଥିଲା । ସେନା ପକ୍ଷରୁ କରାଯାଇଥିବା ଏନକଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।