ବିଜେପିକୁ ଫେରିଲେ ବିଜୟ ମହାପାତ୍ର : ପ୍ରତ୍ୟାବର୍ତ୍ତନ ପରେ କେନ୍ଦ୍ରାପଡ଼ା ରାଜନୀତି ସରଗରମ

ଭୁବନେଶ୍ୱର,୨୮/୩ : ଆଜି ବରିଷ୍ଠ ନେତା ବିଜୟ ମହାପାତ୍ର ଭାରତୀୟ ଜନତା ପାର୍ଟିକୁ ଫେରିଛନ୍ତି । ଏହାସହ ସମସ୍ତ ପୁରୁଣା କଥା ଭୁଲି ଘରକୁ ଫେରିଥିବା ସେ କହିଛନ୍ତି ।

ଗତ ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଥିଲେ । ଏହାପରେ ସେ କେଉଁ ଦଳରେ ଯୋଗଦେବେ ତାକୁ ନେଇ ଆଶା ଆଶଙ୍କା ଲାଗି ରହିଥିଲା । ତେବେ ସେ ପ୍ରାୟ ୪ ମାସ ନୀରବ ରହିବା ପରେ ତାଙ୍କ ରାଜନୈତିକ କ୍ୟାରିଅରର ଅନ୍ତ ଘଟିଥିବା ମଧ୍ୟ ଶୁଣାଯାଉଥିଲା । କିନ୍ତୁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଜୟ ଘରବାହୁଡା କରିଛନ୍ତି । ଆଜି ସକାଳେ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ଏବଂ ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା ପରେ ଦଳରେ ସାମିଲ ହୋଇଛନ୍ତି ।

ବିଜେପିରେ ଯୋଗଦେବା ପରେ ବିଜୟ କହିଛନ୍ତି ଯେ, ସେ ସମସ୍ତ ପୁରୁଣା ରାଗରୁଷାକୁ ଭୁଲି ବିଜେପିକୁ ପ୍ରତ୍ୟାବର୍ତନ କରିଛନ୍ତି । ଦଳଛାଡିବା ସାମୟିକ ଅସନ୍ତୋଷର ପରିଣାମ ଥିଲା । ଦଳୀୟ ନେତୃବୃନ୍ଦଙ୍କ ପ୍ରତିଶ୍ରୁତି ପରେ ଦଳକୁ ଫେରିଛି । ଅମିତ ଶାହା ଦୀର୍ଘ ସମୟ ଧରି ଟେଲିଫୋନରେ କଥା ହୋଇଥିଲେ । ନିର୍ବାଚନ ପାଖେଇ ଆସୁଛି । ରାଜ୍ୟରେ ପରିବର୍ତନ ପାଇଁ ଆମ ସମସ୍ତଙ୍କୁ ଏକତ୍ର ହୋଇ ଲଢିବାକୁ ପଡିବ । ଦଳ ଯେଉଁଠି ନିଷ୍ପତି ନେବ ସେଠାରେ ହିଁ ଲଢିବି ବୋଲି ଏହି ଭେଟରାନ ନେତା ପ୍ରକାଶ କରିଛନ୍ତି ।