ହରିୟାଣା: ବିଜେପି ୩୬ ଓ କଂଗ୍ରେସ ୩୨ଟି ଆସନରେ ଆଗୁଆ, ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଦିଲ୍ଲୀ ଡାକିଲେ ଶାହା

ଚଣ୍ଡିଗଡ,୨୪/୧୦: ଗୋଟିଏ ପଟେ ହରିୟାଣା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦିଲ୍ଲୀ ଦକାଇଛନ୍ତି । ତାଙ୍କୁ ଦିନ ୨ଟା ସୁଧା ଦିଲ୍ଲୀ ପହଁଚିବା ପାଇଁ କୁହାଯାଇଥିବା ସୂଚନା ମିଳିଛି । ସେ ଅମିତ ଓ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟିବେ । ଏପରିକି ଅମିତ ଖଟ୍ଟରଙ୍କ ଉପରେ ଖୁସି ନଥିବା ମଧ୍ୟ ସୂଚନା ମିଳିଛି ।

ବିଧାନସଭା ନିର୍ବାଚନରେ ଟିକେଟ୍ ବଂଟାକୁ ନେଇ ଅମିତ ଅସନ୍ତୋଷ ପ୍ରକାଶ କରିଥିଲେ । ଦଳର ପରିଶ୍ରମୀ ନେତାଙ୍କର ଟିକେଟ୍ ଅନେକ ସ୍ଥାନରେ କଟିଥିଲା । ୨୫ରୁ ଅଧିକ ଆସନରେ ଅସନ୍ତୁଷ୍ଟ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ଫଳରେ ବିଜେପିର ଖେଳ ବିଗିଡିଥିଲା । ଅନେକ ଆସନରେ ସ୍ୱାଧୀନ ଭାବେ ଲଢୁଥିବା ଅସନ୍ତୁଷ୍ଟ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି । ଖଟ୍ଟର ଅଳ୍ପ ସମୟ ମଧ୍ୟରେ ଚଣ୍ଡିଗଡରୁ ଦିଲ୍ଲୀ ଗସ୍ତ କରିବେ ।

ଚଳିତ ନିର୍ବାଚନର ଭୋଟ ଗଣିତରେ ଏବେ ସୁଧା ରାଜ୍ୟର ୪ଜଣ ମନ୍ତ୍ରୀ ମଧ୍ୟ ପଛୁଆ ରହିଛନ୍ତି । ଏପରିକି ଦଳ ଏବେ ସୁଧା ୩୬ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୨ଟି ଆଇଏନଏଲଡି ୨ ଓ ଅନ୍ୟମାନେ ୨୦ଟି ଆସନରେ ଆଗୁଆ ରହିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ସରକାର ଗଠନ କରିବାକୁ ପ୍ରାୟସ ଆରମ୍ଭ କରିଦେଇଛି । ଦଳ ଦୁଷ୍ମନ୍ତ ଚୌତାଲାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଛି । କୌଣସୀ ହେଲେ ଦଳ ୪୦ରୁ ଅଧିକ ଆସନ ପାଇବେ ନାହିଁ କିମ୍ବା ବହୁମତଠୁ ଦୂରରେ ରହିବାର ଚିତ୍ର ଏବେକାର ଟ୍ରେଣ୍ଡରୁ ସାମ୍ନାକୁ ଆସୁଛି ।