ବନ୍ୟାରେ ଭାସି ଆସିଥିବା ଏକ ଟ୍ରେଜେରୀରୁ ଲୁଟିଛନ୍ତି ୯୨ ଲକ୍ଷ, ୨୯ ଜଣ ଗିରଫ

ନୂଆଦିଲ୍ଲୀ, ୨୯/୦୮ : ନେପାଳରେ ଭୟଙ୍କର ବନ୍ୟା ବେଳେ ମାତିଛନ୍ତି ଲୁଟେରା । ଭାସି ଆସିଥିବା ଏକ ଟ୍ରେଜେରୀରୁ ଲୁଟିଛନ୍ତି ୯୨ ଲକ୍ଷ ଟଙ୍କା । ତ୍ରିଶୂଳୀ ନଦୀରେ ଭାସିଆସିଥିବା ଏକ ବ୍ୟାଙ୍କ ଟ୍ରେଜେରୀକୁ ଭାଙ୍ଗି ଟଙ୍କା ଲୁଟିବା ଅଭିଯୋଗରେ ନେପାଳର ଧାଦିଙ୍ଗ ଜିଲ୍ଲାରୁ ୨୯ ଜଣଙ୍କୁ ଗିରଫ କରାଯାଇଛି । ନେପାଳ ପୋଲିସ ବାହିନୀର ଏକ ମିଳିତ ଟିମ୍ ଲୁଟ୍ ଟଙ୍କା ବଣ୍ଟାଯିବା ପରେ ଅଭିଯୁକ୍ତମାନଙ୍କୁ କାବୁ କରିଛି । ଲୁଟେରାଙ୍କଠାରୁ ୯୨ ଲକ୍ଷ ୬୮ ହଜାର ନେପାଳୀ ଟଙ୍କା ଉଦ୍ଧାର କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ଗାଲଛି ଏବଂ ସିଦ୍ଧଲେଖର ସ୍ଥାନୀୟ ବାସିନ୍ଦା । ରସୁୱା ଜିଲ୍ଲାର ଭୋଟେକୋଶୀରେ ଆସିଥିବା ବନ୍ୟା ପାଣିରେ ଏକ ବ୍ୟାଙ୍କ ଲକର ବୋହିଯାଇଥିଲା । ଏହି ଲକର ଧାଦିଙ୍ଗ ଜିଲ୍ଲାର ଗାଲଛି ଏବଂ ସିଦ୍ଧଲେଖର ଗାଁର କିଛି ଲୋକ ଏହାକୁ ଭାଙ୍ଗି ୯୨ ଲକ୍ଷ ୬୮ ଟଙ୍କା ଲୁଟିଥିଲେ । ଘଟଣା ବିଷୟରେ ନେପାଳ ପୋଲିସ ଖବର ପାଇଁ ସଶସ୍ତ୍ରବାହିନୀ ସହିତ ପୋଲିସ ଟିମ୍ ପହଞ୍ଚି ଚଢାଉ କରି ଟଙ୍କା ସହିତ ୨୯ ଜଣଙ୍କୁ ଗିରଫ କରିଛି । ପୋଲିସ କହିବା ଅନୁସାରେ, ଗିରଫ ହୋଇଥିବା ଅଧିକାଂଶ ଅଭିଯୂକ୍ତ ଗଲଛି-୪ର ମାଷ୍ଟର ଗାଁର ନିବାସୀ । ଏହାଛଡା ଚିତବନ ଏବଂ ପର୍ସା ମୂଳ ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ଘଟଣାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ନାରାୟଣୀ ନଦୀ କୂଳରେ ଘଟିଥିବା ଅନ୍ୟ ଏକ ଘଟଣାରେ ଜଣେ ମୃତ ମହିଳା ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା । ମହାବିପତ୍ତିର ସୁଯୋଗ ନେଇ ଲୁଟପାଟ କରୁଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନେପାଳ ସରକାର ଚେତାବନୀ ଦେଇଛନ୍ତି । ଏହାସହ ମିଳିଥିବା ଯେକୌଣସି ମୂଲ୍ୟବାନ ସାମଗ୍ରୀକୁ ତୁରନ୍ତ ପୋଲିସ ପାଖରେ ଜମା କରିବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି ।