ଯୋଗୀ ଆଦିତ୍ୟନାଥଙ୍କୁ ଦେଖିବା ପାଇଁ ଉଗ୍ରକାଣ୍ଡ, ଜଣେ ମୃତ, ଦୁଇ ଗୁରୁତର

ଆମ୍ୱେଦକରନଗର,୭/୯: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନସଭାରେ ବଡ ଧରଣର ଦୁର୍ଘଟଣା ଘଟିଛି । ସଭାସ୍ଥଳରେ ଏକାଠି ହୋଇଥିବା ଲୋକମାନେ ଏଣେତେଣେ ଦୌଡିବା ଫଳରେ ଜଣଙ୍କ ମୃତ୍ୟୁ ହୋଇଛି, ଏହାସହ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି ।

ଉତ୍ତର ପ୍ରଦେଶର ଆମ୍ୱେଦକର ନଗର ଜିଲ୍ଲାରେ ଘଟିଛି ଏହି ଘଟଣା । ଶନିବାର ଦିନ ଏକ ସଭାକୁ ସମ୍ବୋଧିତ କରିବା ପାଇଁ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଏହାପରେ ସେଠାରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଲୋକମାନେ ଏଣେତେଣେ ଦୌଡିବାକୁ ଆରମ୍ଭ କରିଥିଲେ ଏଥିରେ ଜଣେ ସଫେଇ କର୍ମଚାରୀ ସୁରେଶଙ୍କ ମୃତ୍ୟୁ ହୋଇଛି ।

କୁହାଯାଉଛି ଯେ ମଧ୍ୟହ୍ନାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକେପ୍ଟର ଆସିବା ପରେ ତାକୁ ଦେଖିବା ପାଇଁ ଲୋକମାନେ ଦୌଡିବା ଆରମ୍ଭ କରିଥିଲେ । ଏହି ସମୟରେ ସୁରେଶଙ୍କୁ ଅନେକ ଲୋକ ଚକୁଡିକି ଚାଲି ଯାଇଥିଲେ, ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ଅନ୍ୟ ଦୁଇ ଜଣ ଆହାତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ଥାନୀୟ ପ୍ରଶାସନ ପର୍ଯ୍ୟପ୍ତ ପରିମାଣର ବ୍ୟବସ୍ଥା ଗ୍ରହଣ କରି ନଥିଲା, ଫଳରେ ଏହି ଦୁର୍ଘଟଣା ଘଟିଥିଲା ।