ନୂଆଦିଲ୍ଲୀ, ୧୨/୦୫ : ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ମହିଳାଙ୍କ ପାଇଁ ଖୁସି ଖବର। ନୂଆ ସରକାରର ପ୍ରଥମ କାର୍ଯ୍ୟ ଦିବସରେ ହିଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ଆସନ୍ତା ଜୁନ୍ ୧ ତାରିଖରୁ ‘ଅନ୍ନପୂର୍ଣ୍ଣା ଭଣ୍ଡାର’ ଯୋଜନାରେ ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାସିକ ୩୦୦୦ ଟଙ୍କା ଆସିବା ସହ ସରକାରୀ ବସରେ ମାଗଣା ଯାତ୍ରା ସୁବିଧା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ରାଜ୍ୟ ସରକାର ‘ଅନ୍ନପୂର୍ଣ୍ଣା ଭଣ୍ଡାର’ ଆରମ୍ଭ କରିବା ନେଇ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମହିଳାମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଶୁଭେନ୍ଦୁ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ମାଗଣା ବସ୍ ଯାତ୍ରା: ରାଜ୍ୟର ସରକାରୀ ବସ୍ ଗୁଡ଼ିକରେ ମହିଳାମାନେ ବିନା କୌଣସି ଭଡ଼ାରେ ଯାତ୍ରା କରିପାରିବେ। ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ଆରମ୍ଭ କରିଥିବା ଏହି ସୁବିଧାକୁ ଏବେ ବେଙ୍ଗଲରେ ଶୁଭେନ୍ଦୁ ସରକାର ଲାଗୁ କରିବାକୁ ଯାଉଛନ୍ତି। ପ୍ରଶାସନିକ ସୂତ୍ର ଅନୁଯାୟୀ, ଯେଉଁମାନେ ପୂର୍ବରୁ ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନାର ଲାଭ ପାଉଥିଲେ, ସେମାନଙ୍କୁ ‘ଅନ୍ନପୂର୍ଣ୍ଣା ଭଣ୍ଡାର’ ପାଇଁ ପୁଣିଥରେ ଆବେଦନ କରିବାକୁ ପଡ଼ିବ ନାହିଁ। ସେହି ହିତାଧିକାରୀମାନେ ସିଧାସଳଖ ୩୦୦୦ ଟଙ୍କା ପାଇବେ। ପୂର୍ବ ସରକାର ସମୟରେ ଚାଲୁଥିବା ସମସ୍ତ ସାମାଜିକ ଯୋଜନା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆସନ୍ତା ସୋମବାର ଆଉ ଏକ କ୍ୟାବିନେଟ୍ ବୈଠକ ଡକାଯାଇଛି, ଯେଉଁଥିରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଉପରେ ମୋହର ବାଜିପାରେ।