ଗଞ୍ଜାମ ଭୟଙ୍କର ସଡ଼କ ଦୁର୍ଘଟଣା: ମୃତ ୬ ଜଣଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୦୫ : ଗଞ୍ଜାମ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ଜଣଙ୍କ ପରିବାର ପାଇଁ ସହାୟତାର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାରେ ସେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପାଟପୁର ଥାନା ଅନ୍ତର୍ଗତ ଏରେଣ୍ଡ ଗ୍ରାମର ୧୦ ଜଣ ଯାତ୍ରୀ ଏକ ଅଟୋରେ ସିଂହାସନୀ ପୀଠକୁ ଦର୍ଶନ କରିବାକୁ ଯାଉଥିଲେ। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲି ଗ୍ରାମ ନିକଟ ଏକ ବିପଜ୍ଜନକ ବାଙ୍କରେ ବିପରୀତ ଦିଗରୁ ଆସୁଥିବା ‘ଡାଇମଣ୍ଡ’ ନାମକ ଏକ ବସ୍ ଦ୍ରୁତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା ଏବଂ ନିକଟସ୍ଥ ଏକ ନିମ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ୪ ଜଣ ଚିକିତ୍ସାଧୀନ ଅବସ୍ଥାରେ କୋଦୋଳା ମେଡିକାଲରେ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ସୂଚନା ମିଳିଛି। ଘଟଣା ପରେ କୋଦୋଳା ଦମକଳ ବାହିନୀ ଓ ପୁଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ଚିକିତ୍ସା ପାଇଁ କୋଦୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏସଡିପିଓ ସୁଜିତ କୁମାର ନାୟକ ଘଟଣାସ୍ଥଳ ଓ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ପୁଲିସ ବସ୍ ଓ ଅଟୋକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।