ମେ ୨୫ ଓ ୨୬ ଏସବିଆଇ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ଭୁବନେଶ୍ୱର, ୨୨/୦୫ : ସର୍ବଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି । ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ଦେଶବ୍ୟାପୀ ଏସବିଆଇ ବ୍ୟାଙ୍କ କର୍ମଚାରୀ ସଂଘ ଧର୍ମଘଟ ଡାକରା ଦେଇଛି । ସେଥିପାଇଁ ଏହି ଦୁଇ ଦିନ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏସବିଆଇ ପକ୍ଷରୁ ଗ୍ରାହକଙ୍କ ପାଇଁ ପରାମର୍ଶ ଜାରି ହୋଇଛି । ମେ ୨୫ ଏବଂ ୨୬ ତାରିଖରେ ଏହି ଦୁଇ ଦିନ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ । ତେବେ ଏହା ଦ୍ୱାରା ଲଗାତର ୫ ଦିନ ବନ୍ଦ ରହିବ । ୨୩ ମେ ଦ୍ୱିତୀୟ ଶନିବାର, ୨୪ ମେ ରବିବାର, ମେ ୨୫ ଓ ୨୬ରେ ଦୁଇ ଦିନିଆ ଧର୍ମଘଟ ଓ ୨୭ ତାରିଖରେ ବକ୍ରିଦ୍ ଇଦ୍ ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେଥିପାଇଁ ବ୍ୟାଙ୍କ ଉପଭୋକ୍ତାମାନେ ପାଖରେ ପର୍ଯ୍ୟାପ୍ତ ପରିମାଣରେ ନଗଦ ଟଙ୍କା ରଖିବାକୁ କୁହାଯାଇଛି । ଅଥବା ନଗଦ ଟଙ୍କା ପାଇଁ ଏଟିଏମ୍ ବ୍ୟବହାର କରିବେ । ସେହିପରି କଷ୍ଟମର୍ ସର୍ଭିସ୍ ପଏଣ୍ଟ ବ୍ୟବହାର କରିପାରିବେ । ସେହିପରି ଟଙ୍କା ନେଣ ଦେଣ ପାଇଁ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଯଥା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ୟୋନୋ, ମୋବାଇଲ୍ ବ୍ୟାଙ୍କିଙ୍ଗ, ୟୁପିଆଇ ଆଦି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଏସବିଆଇ କର୍ମଚାରୀ ସଂଗଠନ କହିଛି ଯେ ଆଉଟସୋର୍ସିଂ ନିଯୁକ୍ତି ଯୋଗୁଁ ଗ୍ରାମୀଣ ଯୁବକ, ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗ, ଅନୁସୂଚିତ ଜାତି-ଜନଜାତି ଏବବଂ ପଛୁଆ ବର୍ଗର ଲୋକଙ୍କୁ କମ୍ ନିଯୁକ୍ତି ସୁଯୋଗ ମିଳୁଛି । ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନିଯୁକ୍ତିକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏହାଦ୍ୱାରା କର୍ମଚାରୀ, ଗ୍ରାହକ ଏବଂ ବ୍ୟାଙ୍କ ସମ୍ପତ୍ତିର ସୁରକ୍ଷା ପ୍ରତି ବିପଦ ବଢ଼ିପାରେ।ଅନ୍ୟପଟେ, ଏନପିଏସ (NPS) ଅଧୀନରେ ପେନସନ ଫଣ୍ଡ ମ୍ୟାନେଜର ବଦଳାଇବାର ସୁବିଧା ନମିଳିବାକୁ ନେଇ ମଧ୍ୟ କର୍ମଚାରୀମାନେ ଅସନ୍ତୁଷ୍ଟ ଅଛନ୍ତି। ସେମାନେ ଦାବି କରିଛନ୍ତି ଯେ ଅନ୍ୟ ସରକାରୀ ବ୍ୟାଙ୍କଗୁଡ଼ିକ ତୁଳନାରେ ଏସବିଆଇ କର୍ମଚାରୀଙ୍କ ସହ ପାତରଅନ୍ତର କରାଯାଉଛି। ଏ ସମସ୍ତ କାରଣ ପାଇଁ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବ ।