ଭୁବନେଶ୍ୱର, ୨୨/୦୫ : ଓଡ଼ିଶା ହାଇକୋର୍ଟ ଆସନ୍ତା ମେ’ ୨୫ ତାରିଖରୁ ଗ୍ରୀଷ୍ମ ଅବକାଶରେ ଯାଉଛି। ହାଇକୋର୍ଟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ମେ’ ୨୪ ଓ ୨୫ ତାରିଖ ଶନିବାର ଓ ରବିବାର ଛୁଟି ଥିବାରୁ ମେ’ ୨୩ ଆଜି ହେବ ଅବକାଶ ପୂର୍ବର ଶେଷ କାର୍ଯ୍ୟଦିବସ। ଗ୍ରୀଷ୍ମ ଅବକାଶ ପରେ ହାଇକୋର୍ଟ ଜୁନ୍ ୨୨, ୨୦୨୬ରେ ପୁଣି ଖୋଲିବ। ଅବକାଶ ସମୟରେ ଜରୁରୀ ମାମଲାର ଶୁଣାଣି ବାଧାପ୍ରାପ୍ତ ନ ହେବା ପାଇଁ ହାଇକୋର୍ଟ ପକ୍ଷରୁ ୮ ଦିନ ପାଇଁ ଭ୍ୟାକେସନ୍ ବେଞ୍ଚର ବ୍ୟବସ୍ଥା କରାଯାଇଛି। ସମସ୍ତ ଭ୍ୟାକେସନ୍ କୋର୍ଟ ଭର୍ଚୁଆଲ୍ ମୋଡ୍ରେ କାର୍ଯ୍ୟ କରିବେ ଏବଂ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମାମଲାର ଶୁଣାଣି କରିବେ।
ବିଜ୍ଞପ୍ତି ଅନୁସାରେ, ମେ’ ୨୬ ଓ ୨୯ ତାରିଖରେ ନ୍ୟାୟମୂର୍ତ୍ତି କେ.ଆର୍. ମହାପାତ୍ର ଏବଂ ନ୍ୟାୟମୂର୍ତ୍ତି ଏମ୍.ଏସ୍. ସାହୁଙ୍କୁ ନେଇ ଏକ ଡିଭିଜନ୍ ବେଞ୍ଚ ବସିବ। ଏହା ସହ ଉଭୟ ନ୍ୟାୟମୂର୍ତ୍ତିଙ୍କ ସିଙ୍ଗଲ୍ ବେଞ୍ଚ ମଧ୍ୟ କାର୍ଯ୍ୟ କରିବ। ସେହିପରି ଜୁନ୍ ୨ ଓ ୫ ତାରିଖରେ ନ୍ୟାୟମୂର୍ତ୍ତି ଏମ୍.ଏସ୍. ସାହୁ ଏବଂ ଏମ୍.ଏସ୍. ରମଣଙ୍କ ଡିଭିଜନ୍ ବେଞ୍ଚ ମାମଲା ଶୁଣିବେ। ଜୁନ୍ ୯ରେ ନ୍ୟାୟମୂର୍ତ୍ତି ଆଦିତ୍ୟ କୁମାର ମହାପାତ୍ର ଓ ଭି. ନରସିଂହଙ୍କୁ ନେଇ ଡିଭିଜନ୍ ବେଞ୍ଚ ବସିବାକୁ ଥିବାବେଳେ ଜୁନ୍ ୧୨, ୧୭ ଓ ୧୯ ତାରିଖରେ ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ ଓ ଭି. ନରସିଂହଙ୍କ ଡିଭିଜନ୍ ବେଞ୍ଚ କାର୍ଯ୍ୟ କରିବ। ହାଇକୋର୍ଟର ଏହି ବ୍ୟବସ୍ଥା ଫଳରେ ଅବକାଶ ସମୟରେ ମଧ୍ୟ ଜରୁରୀ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ସମ୍ଭବ ହେବ ବୋଲି ଆଶା କରାଯାଉଛି।