ଭୁବନେଶ୍ୱର, ୨୩/୦୫ : ଆଜି ଠୁ କିଟ୍ ବିଶ୍ୱନାଥନ ଆନନ୍ଦ ଅନ୍ତର୍ଜାତୀୟ ଚେସ୍ ହଲରେ ଆୟୋଜିତ ହେଉଛି ୧୭ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ। ୩୦ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ବିଶ୍ୱର ୪୦ଟି ଦେଶରୁ ୪ହଜାର ଖେଳାଳି ଓ ଅଭିଭାବକ ଯୋଗଦେଉଛନ୍ତି । ଏଥିରେ ୪ଶହ ଅଫିସିଆଲ୍ ଯୋଗଦେବେ। ୨୫ ଜଣ ଗ୍ରାଣ୍ଡମାଷ୍ଟର, ୫୦ଜଣ ଇଣ୍ଟରନ୍ୟାସ୍ନାଲମାଷ୍ଟର ଓ ୮୫ରୁ ଅଧିକ ଅନ୍ତର୍ଜାତୀୟ ଟାଇଟଲଧାରୀ ଅଛନ୍ତି। ପ୍ରତିଯୋଗୀ ଆଜିଠାରୁ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ପୁରସ୍କାର ରାଶି ହେଉଛି ସର୍ବାଧିକ ୧କୋଟି ୩୧ ଲକ୍ଷ ଟଙ୍କା । ଏହା ଭାରତରେ ଚେସ୍ର ସର୍ବାଧିକ ପୁରସ୍କାର ରାଶି । ଏଥିରେ ବିଭିନ୍ନ ବର୍ଗରେ ମଧ୍ୟ ପୁରସ୍କାର ବ୍ୟବସ୍ଥା ରହିଛି । ଯାହା ଦ୍ୱାରା ପ୍ରତ୍ୟେକ ପ୍ରତିଯୋଗୀ କିଛି ନା କିଛି ପୁରସ୍କାର ରାଶି ପାଇବାର ସୁଯୋଗ ପାଇବେ।
ଏହି ଚେସ୍ ମହାକୁମ୍ଭ ପାଇଁ କିଟ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଖେଳାଳିଙ୍କ ରହିବା, ଖାଇବାଠାରୁ ପ୍ରତିଯୋଗିତା ପର୍ଯ୍ୟନ୍ତ ସମସ୍ତ ସୁବିଧା କିଟ୍ ପକ୍ଷରୁ ଯୋଗାଇ ଦିଆଯାଇଛି । ଏଥିରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, ଏତେ ସଂଖ୍ୟକ ଖେଳାଳି ଉଚ୍ଚ ଆଶା ନେଇ କିଟ୍ ଅନ୍ତର୍ଜାତୀୟ ଚେସ୍ରେ ଯୋଗଦେବାକୁ ଆସୁଛନ୍ତି । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଉତ୍କୃଷ୍ଟ ଆତିଥ୍ୟ, ପର୍ଯ୍ୟାପ୍ତ ସୁବିଧା ଏବଂ ବ୍ୟାପକ ସମର୍ଥନ ପ୍ରଦାନ ପାଇଁ ପ୍ରୟାସ କରାଯାଇଛି । ଫଳରେ ସେମାନେ ଆରାମରେ ଆତ୍ମବିଶ୍ୱାସ ସହ ସେମାନଙ୍କର ଖେଳ ଖେଳିପାରିବେ । ଏହି ମହାକୁମ୍ଭରେ ଜିଏମ୍ କିରଣ ମନୀଷା ମହାନ୍ତି, ପଦ୍ମିନୀ ରାଉତ ଓ ଆଇଏମ୍ ସମ୍ବିତ ପଣ୍ଡାଙ୍କ ଭଳି ବହୁ ଉଦୀୟମାନ ଚେସ୍ ତାରକା ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ଫଳରେ ଓଡ଼ିଶା ଚେସ୍ ଖେଳାଳିଙ୍କୁ ମଧ୍ୟ ଏହା ପ୍ରେରଣା ଯୋଗାଇବ । ଏହି ଚେସ୍ ମହାକୁମ୍ଭ ସହ ଜଡ଼ିତ ଅନ୍ତର୍ଜାତୀୟ ଚେସ୍ ସଂଘ (ଫିଡେ), ସର୍ବ ଭାରତୀୟ ଚେସ ସଂଘ, ଓଡ଼ିଶା ଚେସ୍ ସଂଘଙ୍କ ସମେତ ସମସ୍ତ ଖେଳାଳି, ଅଫିସିଆଲ୍ଙ୍କୁ ଡ ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି । ଚଳିତବର୍ଷର ଚେସ୍ ମହାକୁମ୍ଭ ସର୍ବଭାରତୀୟ ରେକର୍ଡ ସ୍ଥାପନ କରିଥିବା ଡ ସାମନ୍ତ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବରେ ବହୁ ଆଇଏମ୍ ଓ ଜିଏମ୍ ଯୋଗ ଦେଉଥିବାରୁ ଏହା ଓଡ଼ିଶା ତଥା ଭାରତୀୟ ଚେସ୍କୁ ଆହୁରି ଆଗକୁ ନେବ ବୋଲି ଚେସ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି ।