ବିଡିଏ ବଦନାମ : ଠିକା ସଂସ୍ଥା ମନମାନିରେ ଚାଲିଛି ପାର୍କ ସେବା

ଭୁବନେଶ୍ୱର, ୨୨/୦୭ (ପ୍ରଦୀପ୍ତ କୁମାର ଦାସ) : ଖୋଦ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସହର ମଧ୍ୟରେ ଥିବା ବିଡିଏ ଦ୍ୱାରା ପରିଚାଳିତ ଅଧିକାଂଶ ପାର୍କରେ ଦୀର୍ଘଦିନ ହେଲା ନାନା ଅବ୍ୟବସ୍ଥା ପରିଲକ୍ଷିତ ହେଉଛି।ନିୟମିତ ଭାବେ ପାର୍କ ଗୁଡିକର ରକ୍ଷଣାବେକ୍ଷଣ ଓ ଯତ୍ନନେବା ଦାୟିତ୍ୱ ସହ ଜନସାଧାଣଙ୍କୁ ଉତ୍ତମମାନର ପାର୍କ ସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ନଗରଉର୍ନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱର ଉର୍ନ୍ନୟନ କର୍ତୃପକ୍ଷ ତଥା ବିଡିଏ ଏହାର ପରିଚାଳନା ଦାୟିତ୍ୱ ନେଇଛି।ତେବେ ବିଡିଏ ଅଧୀନରେ ପରିଚାଳିତ ହେଉଥିବା ଏସବୁ ପାର୍କ ଗୁଡିକର ରକ୍ଷଣାବେକ୍ଷଣ ଓ ଯତ୍ନ ନେବା କ୍ଷେତ୍ରରେ ନିୟମିତ ପାର୍କ ବ୍ୟବହାରକାରୀ ନାଗରିକମାନଙ୍କୁ ଗୁଣାତ୍ମକମାନର ସେବା ଯୋଗାଇଦେବା ନିମନ୍ତେ ଏକ ବେସରକାରୀ ତଥା ଘରୋଇ ଠିକା ସଂସ୍ଥାକୁ ଦାୟିତ୍ୱ ଅର୍ପଣ କରିଛି ବିଡିଏ।ମାତ୍ର ଘୋର ବିଡମ୍ବନାର ବିଷୟ ଯେ ଉକ୍ତ ସେବା ପ୍ରଦାନକାରୀ ଠିକା ସଂସ୍ଥା ଏହି ଦାୟିତ୍ୱ ନିର୍ବାହ ନିମନ୍ତେ କର୍ତ୍ତବ୍ୟ ତୁଲାଇବା କ୍ଷେତ୍ରରେ ଘୋର ଅବହେଳା ତଥା ଖିଲାପ କରିବା ସହ ମନମାନି ଚଳାଉଥିବା ନେଇ ବିଡିଏ କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଆପତ୍ତି କରାଯାଇଆସୁଥିଲେ ମଧ୍ୟ ସେଥିରେ ସୁଧାର ଆସୁନାହିଁ ବୋଲି ଅଭିଯୋଗ ହୋଇଆସୁଛି।

 

ପ୍ରକାଶ ଯୋଗ୍ୟଯେ ଏଥିପାଇଁ ବିଡିଏ ମାସିକ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆସୁଛି ବୋଲି କୁହାଯାଉଛି।ମାତ୍ର ନିୟମିତ ପାର୍କ ବ୍ୟବହାରକାରୀ ନାଗରିକ ମାନେ ଏହି ବ୍ୟବସ୍ଥାରୁ ଆଶାନୁରୂପ ସୁଫଳ ପାଇପାରୁନାହାନ୍ତି।କିଛି ହାତ ଗଣତି ପ୍ରମୁଖ ପାର୍କକୁ ଛାଡିଦେଲେ ଅଧିକାଂଶ ପାର୍କରେ ପରିମଳ,ସୁରକ୍ଷା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନିମ୍ନମାନର ବୋଲି କୁହାଯାଉଛି। ରାଜଧାନୀରେ ବିଡିଏ ଅଧୀନରେ ପାଖାପାଖି ୪୦ ରୁ ଅଧିକ ପାର୍କ ପରିଚାଳିତ ହେଉଛି।ଏଥି ମଧ୍ୟରୁ ଏକାଧିକ ପାର୍କରେ ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ତାହା ଅସାମାଜିକ ଲୋକ ଓ ନିଶାଡ଼ିଙ୍କ ଚରାଭୂଇଁ ପାଲଟିଥିବା ଅଭିଯୋଗ ହୋଇଛି।ତେବେ ସମୃକ୍ତ ଘରୋଇ ଠିକା ସଂସ୍ଥା ଅନେକ ପାର୍କର ରକ୍ଷଣାବେକ୍ଷଣ ଓ ଯତ୍ନ ନେବା ଦାୟିତ୍ୱ ସହ ଲୋକଙ୍କୁ ଉତ୍ତମ ମାନର ସେବା ଯୋଗାଇଦେବା କ୍ଷେତ୍ରରେ ଉପଯୁକ୍ତ ସେବା ପ୍ରଦାନ କରିପାରୁନଥିବା କାରଣରୁ ବିଡିଏ ବଦନାମ ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ଏଥିପାଇଁ ସମ୍ପୂକ୍ତ ସଂସ୍ଥାର ଜଣେ ଅସାଧୁ ଓ ବିଶୃଙ୍ଖଳିତ କ୍ଷେତ୍ର ଅଧିକାରୀଙ୍କ ସହ ତାଙ୍କର କିଛି ଅନୁଗତ ସହକର୍ମୀ ମୁଖ୍ୟତଃ ଦାୟୀ ବୋଲି ଅଭିଯୋଗ ହୋଇଛି।ଏଥିସହିତ ଆବଶ୍ୟକ ଭିତ୍ତିଭୂମିର ଅଭାବ ମୁଖ୍ୟତଃ ଅଭିଜ୍ଞ ଓ ପେଶାଦାର କର୍ମଚାରୀଙ୍କ ଘୋର ଅଭାବ ସାଙ୍ଗକୁ ନିୟମିତ ଉପଯୁକ୍ତ ଭାବେ ଏସବୁର ତଦାରଖ ହେଉନଥିବାରୁ ଏପରି ଅଭାବନୀୟ ସ୍ଥିତି ଉପୁଜିଆସୁଛି ବୋଲି ମଧ୍ୟ କୁହାଯାଉଛି।ତେବେ ପାର୍କ ତଦାରଖ ପାଇଁ ବିଡିଏରେ ମାନବ ସମ୍ବଳର ଘୋର ଅଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଯାଉଛି। ଏକ୍ଷେତ୍ରରେ ବିଡିଏ ହର୍ଟିକଲଚର ବିଭାଗରେ ବର୍ତ୍ତମାନ ପ୍ରମୁଖ ଦାୟିତ୍ୱରେ ଅଛନ୍ତି ଜଣେ ମୁଖ୍ୟ ଉଦ୍ୟାନବିତ,ଦୁଇଜଣ ସହକାରୀ ଉଦ୍ୟାନବିତ,ଅତି ନିକଟରେ ଅବସର ନେବାକୁ ଥିବା ଜଣେ ମାତ୍ର ବରିଷ୍ଠ ଉଦ୍ୟାନ ସହାୟକ ଓ ୪ ଜଣ ମାତ୍ର କ୍ଷେତ୍ର କର୍ମଚାରୀ।ଏହି କ୍ରମରେ ଏତେ ସଂଖ୍ୟକ ପାର୍କର ଉଚିତ ତଦାରଖ ପାଇଁ ଏହି ସଂଖ୍ୟା ନଗଣ୍ୟ ହୋଇଥିବାରୁ ଏହାର ସୁଯୋଗ ନେଇ ସମ୍ପୃକ୍ତ ଠିକାସଂସ୍ଥା ଦୀର୍ଘଦିନ ଧରି ମନମାନି ଚଳାଇଆସୁଥିବା ସାଙ୍ଗକୁ ନିୟମିତ କର୍ତ୍ତବ୍ୟ ତୁଲାଇବା କ୍ଷେତ୍ରରେ ନାନା ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି।ଏପରି ସ୍ଥିତିରେ ଖୋଦ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ପାର୍କ ସେବା କ୍ଷେତ୍ରରେ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିଲେହେଁ ଲୋକେ ଏଥିରୁ ଗୁଣାତ୍ମକ ମାନର ସେବା ତଥା ଆଶାନୁରୂପ ଫଳ ପାଇବାରୁ ବଂଚିତ ହେବା କେବଳ ସାର ହେଉଛି ବୋଲି ସହରର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି

SBI AD