ଭୁବନେଶ୍ୱର, ୨୯/୦୭ : ଆସନ୍ତା ୧ ତାରିଖରୁ ଖୋଲିବ ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ରହିଥିଲା ଭିତରକନିକା । ମା କୁମ୍ଭୀର ଅଣ୍ଡା ଦେବା ପରେ ହିଂସ୍ର ଆଚରଣ ଦେଖାଇଥାନ୍ତି । ସେଥିପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଭିତରକନିକା ବନ୍ଦ ରହିଥିଲା । ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକ ମାନେ ଭିତରକନିକା ପରିଭ୍ରମଣ କରିବା ସହ ରାତ୍ରି ଯାପନ କରିପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର କହିଛନ୍ତି । ପ୍ରତିବର୍ଷ ମଇ ୧ ତାରିଖଠାରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିଥାଏ । ମା’ କୁମ୍ଭୀର ଅନ୍ତସତ୍ତ୍ୱା ହେବା ପରେ ଅଣ୍ଡା ଦେବାପାଇଁ ନିରାପଦ ସ୍ଥାନ ଖୋଜିଥାଏ । ନାଳ ଠୁଁ ଉଚ୍ଚ ସ୍ଥାନରେ ବସା କରି ଖରଖରି ପତ୍ର ୨ ଫୁଟ ଉଚ୍ଚର ଗଦା କରିଥାଏ । ଗଦା ଉପରେ କୁମ୍ଭୀର ଅଣ୍ଡା ଦେବାପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ଦେଇଥାଏ । ପ୍ରତ୍ୟେକ କୁମ୍ଭୀର ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ । ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଛୁଆ ବାହାରିଥାଏ । କୁମ୍ଭୀର ଅଣ୍ଡା ଦେବାପରେ ବସା ଉପରେ, ଓ ପାଖରେ କିମ୍ବା ୫/୧୦ଫୁଟ ଦୂରତା ମଧ୍ୟରେ ଜଗି ରହିଥାଏ । ଏହି କାରଣରୁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ମଇ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏ ୩ ମାସ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ । ଜୁନ ପ୍ରଥମ ସପ୍ତାହରୁ ବନ କର୍ମଚାରୀ ଜଙ୍ଗଲ ମଧ୍ୟରେ ବୁଲି କୁମ୍ଭୀର ବସା ଚିହ୍ନଟ କରିବା ସହ ଜିପିଏସ୍ ଲୋକେଶନରେ ଫଟୋ ଉଠାଇଥାନ୍ତି । ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ବସା ଗଣନା । ଚଳିତବର୍ଷ ୧୧୭ ଟି କୁମ୍ଭୀର ବସା ଗଣନା କରାଯାଇଛି । କନିକା ରେଞ୍ଜରେ ସର୍ବାଧିକ ୧୦୬ଟି ବସା ଚିହ୍ନଟ କରାଯାଇଥିବା ବେଳେ ରାଜନଗର ରେଞ୍ଜରେ ୧୦ଟି ଓ ମହାକାଳପଡା ରେଞ୍ଜରେ ଗୋଟିଏ ବସା ଚିହ୍ନଟ କରାଯାଇଛି ।
