ବିଶ୍ବର ସବୁଠୁ ଉଚ୍ଚତମ ସୌର ତାପଜ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କଲା ଚୀନ୍

ନୂଆଦିଲ୍ଲୀ, ୧୬/୦୮ : ବିଶ୍ବର ସବୁଠୁ ଉଚ୍ଚତମ ସୌର ତାପଜ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କଲା ଚୀନ୍ । ତାପଜ ବିଦ୍ୟୁତ ପ୍ରକଳ୍ପରେ ମୋଟ ୧୫ ହଜାର ୯୨୭ଟି କମ୍ପୁଟର-ନିୟନ୍ତ୍ରିତ ଦର୍ପଣ ବା ହେଲିଓଷ୍ଟାଟ୍ ସ୍ଥାପନ କରିଛି ଡ୍ରାଗନ୍ । ପ୍ଲାଣ୍ଟଟି ସମୁଦ୍ର ପତନଠାରୁ ୪,୬୫୦ ମିଟର ଉଚ୍ଚତାରେ ତିବ୍ଦତର ଆମଦୋ କାଉଣ୍ଟିରେ ଅବସ୍ଥିତ । ପ୍ରକଳ୍ପରେ ଥିବା ଦର୍ପଣଗୁଡ଼ିକ ସୂର୍ଯ୍ୟକିରଣକୁ ଏକ ଟାୱାର ଉପରେ କେନ୍ଦ୍ରୀଭୂତ କରିଥାନ୍ତି, ଯାହାଫଳରେ ଏହାର ଆଭ୍ୟନ୍ତରୀଣ ତାପମାତ୍ରା ୫୬୦ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ୨୦୨୬ ଅକ୍ଟୋବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ଗ୍ରୀଡ୍ ସହିତ ସଂଯୁକ୍ତ ହେବାକୁ ଯାଉଛି । ୧୦୦ ମେଗାୱାଟ ବିଶିଷ୍ଟ ଏହି ପ୍ରକଳ୍ପ ୮୬ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ପରିବ୍ୟାପ୍ତ । ପ୍ରକଳ୍ପରୁ ବାର୍ଷିକ୨୫.୫ କୋଟି କିଲୋୱାଟ-ଆୱାର ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ରଖିଛି ଚୀନ୍ । ସୂର୍ଯ୍ୟ ଅସ୍ତ ହେବା ପରେ ପାରମ୍ପରିକ ସୋଲାର ପ୍ୟାନେଲଗୁଡ଼ିକ ବିଦ୍ୟୁତ ଉତ୍ପାଦନ ବନ୍ଦ କରିଦେଉଥିବା ବେଳେ, ଏହି କନସେଣ୍ଟ୍ରେଟେଡ୍ ସୋଲାର ପାୱାର ପ୍ଲାଣ୍ଟଗୁଡ଼ିକ ବଡ଼ ଥର୍ମାଲ ବ୍ୟାଟେରୀ ଭଳି କାମ କରନ୍ତି ।

ଏହି ସିଷ୍ଟମ ଦିନର ପ୍ରଖର ସୂର୍ଯ୍ୟକିରଣର ଉତ୍ତାପକୁ ତରଳ ଗଳିତ-ଲବଣ ମଧ୍ୟରେ ସଂରକ୍ଷିତ କରି ରଖେ । ରାତିରେ କିମ୍ବା ମେଘୁଆ ପାଗରେ ଏହି ସଂରକ୍ଷିତ ଉତ୍ତାପରୁ ବାଷ୍ପ ପ୍ରସ୍ତୁତ କରାଯାଇ ଟରବାଇନ ଚଲାଯାଏ, ଯାହା ବିନା କୌଣସି ବାଧାରେ ନିରନ୍ତର ବିଦ୍ୟୁତ ଯୋଗାଇଥାଏ । ତିବ୍ଦତ ମାଳଭୂମିରେ ଏଭଳି ଜଟିଳ ପ୍ରକଳ୍ପ ନିର୍ମାଣ କରିବା ଅତ୍ୟନ୍ତ କଷ୍ଟକର ଥିଲା । ଏହି ପ୍ରକଳ୍ପ ଦ୍ବାରା ସ୍ବଚ୍ଛ ଶକ୍ତି ଉତ୍ପାଦନ ହେବାକୁ ଥିବା ବେଳେ, ବାର୍ଷିକ ୬୦,୦୦୦ ଟନ୍ ସାଧାରଣ କୋଇଲାର ବ୍ୟବହାର କମିବ ବୋଲି ଡ୍ରାଗନ ପକ୍ଷରୁ କୁହାଯାଇଛି ।