ଭୁବନେଶ୍ୱର, ୨୩/୦୮ : ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ । ପାରାଦୀପ ଠାରୁ ୨୦୦ ନଟିକାଲ ମାଇଲ୍ ଦୂର ସମୁଦ୍ରରେ ଅଘଟଣ । ପାନାମା ପତାକାବାହୀ ମାଲବାହୀ ଜାହାଜ ବୁଡ଼ିଥିବା ଜଣାପଡ଼ିଛି । ପାରାଦୀପରୁ ସିଙ୍ଗାପୁର ଯାଉଥିବା ପାନାମା ପତାକାବାହୀ ଜାହାଜ ବୁଡ଼ିଥିବା ରିପୋର୍ଟ ହୋଇଛି । ପାରାଦୀପଠାରୁ ପ୍ରାୟ ୨୦୦ ନଟିକାଲ ମାଇଲ୍ ଦୂର ଗଭୀର ସମୁଦ୍ରରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଓ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପ୍ରାଥମିକ ସୂଚନା ଅନୁସାରେ, ଜାହାଜଟି ପାରାଦୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିଲା । ଜାହାଜରେ ମାଲ୍ ବୋଝେଇ ହୋଇଥିବା ନେଇ ଜଣାପଡ଼ିଥିବା ବେଳେ କେଉଁ ପ୍ରକାରର ସାମଗ୍ରୀ ଏବଂ କେତେ ପରିମାଣରେ ଥିଲା, ତାହା ଜଣାପଡ଼ିନାହିଁ ।
ସବୁଠାରୁ ବଡ଼ ଚିନ୍ତା ଏବେ ଜାହାଜରେ ଥିବା କ୍ରୁ ସଦସ୍ୟଙ୍କୁ ନେଇ । ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ ଚୀନ୍ ନାଗରିକ ଥିବାବେଳେ ଜଣେ ବାଂଲାଦେଶୀ ନାଗରିକ ମଧ୍ୟ ଥିଲେ । ଜାହାଜ ବୁଡ଼ିବା ପରେ କ୍ରୁ ସଦସ୍ୟମାନେ ଲାଇଫ୍ ଜ୍ୟାକେଟ୍ ଓ ଲାଇଫ୍ ବୋଟ୍ ସାହାଯ୍ୟରେ ସମୁଦ୍ରରେ ଭାସୁଥିବା ଆଶଙ୍କା କରାଯାଉଛି । କେଉଁ ପରିସ୍ଥିତିରେ ଜାହାଜଟି ବୁଡ଼ିଗଲା, ଖରାପ ପାଗ, ଯାନ୍ତ୍ରିକ ତ୍ରୁଟି ନା ଅନ୍ୟ କୌଣସି କାରଣ ଏଥିପାଇଁ ଦାୟୀ—ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଜାହାଜ ବୁଡ଼ିବା ଫଳରେ ତେଲ କିମ୍ବା ଅନ୍ୟ କୌଣସି ପ୍ରଦୂଷକ ସମୁଦ୍ରରେ ଲିକ୍ ହୋଇଛି କି ନାହିଁ ଏବଂ ଏହାଦ୍ୱାରା ସାମୁଦ୍ରିକ ପରିବେଶ ପ୍ରଭାବିତ ହେବାର ଆଶଙ୍କା ରହିଛି କି ନାହିଁ ତାକୁ ଅପେକ୍ଷା ରହିଛି ।